ଉଗ୍ରବାଦ ଦମନରେ ମ୍ୟାନ୍‌ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍‌ମାର ଷ୍ଟେଟ୍‌ କାଉନସିଲର ଅଙ୍ଗ୍‌ ସାନ୍‌ ସୁ କୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ସ୍ଥିର ଓ ଶାନ୍ତିପୂର୍ଣ୍ଣ ସୀମା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ମ୍ୟାନ୍‌ମାର ସୀମାରେ ସକ୍ରିୟ ଥିବା ଉଗ୍ରବାଦୀଙ୍କୁ ଦମନ କରିବାରେ ସୁ-କୀଙ୍କ ସହଯୋଗ ଲୋଡିଛନ୍ତି ମୋଦି।
ମ୍ୟାନ୍‌ମାରର ରାଖିନେ ପ୍ରଦେଶରେ ସାମାଜିକ-ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ଲାଗି ଭାରତ ପ୍ରସ୍ତୁତ। ସୂଚନାଯୋଗ୍ୟ ମାସକ ପୂର୍ବରୁ ନୂଆଦିଲ୍ଲୀ ସେଠାରେ ଏକ ହାଉସିଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହା ବ୍ୟତୀତ ନୂଆଦିଲ୍ଲୀ ନିର୍ମାଣ କରୁଥିବା ସିତ୍ତ୍ୱେ ବନ୍ଦରର କାର୍ଯ୍ୟକାରିତା, କାଲାଦନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ୍‌ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଏବଂ ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ସହ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ବୋଲି ସୁ-କୀ ଏହି ଅବସରରେ କହିଥିଲେ। ଉଗ୍ରବାଦୀମାନେ ସୀମା ଦେଇ ଯେପରି ଭାରତରେ ପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ଲାଗି ମୋଦି ମ୍ୟାନ୍‌ମାରର ସହଯୋଗ ଲୋଡିଥିଲେ। ଭାରତର ପ୍ରାଚ୍ୟକୁ ଦୃଷ୍ଟି ଏବଂ ପଡୋଶୀ ପ୍ରଥମ ନୀତିରେ ମ୍ୟାନ୍‌ମାରକୁ ଗୁରୁତ୍ୱ ଦିଆଯାଉଛି। ଏହି ରାଷ୍ଟ୍ର ଦେଇ ଦକ୍ଷିଣପୂର୍ବ ଏସିଆରେ ଯୋଗାଯୋଗର ଉନ୍ନତି ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ମ୍ୟାନ୍‌ମାର ସହ ଭାରତର ୧୬୪୦ କିଲୋମିଟର ସୀମା ରହିଛି। ସୁରକ୍ଷା ସଂସ୍ଥାର ତଥ୍ୟ ଅନୁଯାୟୀ ଗତବର୍ଷ ପର୍ଯ୍ୟନ୍ତ ଉତ୍ତରପୂର୍ବ ମ୍ୟାନ୍‌ମାରରେ ୫୦ରୁ ଊର୍ଦ୍ଧ୍ୱ ଉଗ୍ରବାଦୀ କ୍ୟାମ୍ପ ସକ୍ରିୟ ଥିଲା। ମେ ୧୬ରେ ଭାରତ ଓ ମ୍ୟାନ୍‌ମାର ସେନା ସୀମାରେ ମିଳିତ ଅଭିଯାନ ଚଳାଇଥିଲେ, ଯେଉଁଥିରେ ଅନେକ ଉଗ୍ରପନ୍ଥୀ ଶିବିର ଧ୍ୱଂସ ହୋଇଥିଲା।

Share