ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି:କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେଶିିନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କାର୍ଯ୍ୟରେ ଠକୁଥିବା କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ। କାରଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌ ଲାଗିବ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେଶିନ୍‌ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଶତ ପ୍ରତିଶତ ଉପସ୍ଥାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଏଭଳି ନିୟମ ଆପଣେଇଛି। କର୍ମଚାରୀ ମେଶିନରେ ଆଙ୍ଗୁଠି ଛାପ ଦେଇ ‘ଅଫିସ ଇନ୍‌’ ଓ ‘ଅଫିସ ଆଉଟ୍‌’ କରିବେ। ନିୟମାନୁସାରେ, ପ୍ରତିଦିନ କର୍ମଚାରୀମାନେ ସକାଳ ୧୦ଟାରେ ଅଫିସରେ ପହଞ୍ଚତ୍ୟିବେ। ତେବେ ବିଭିନ୍ନ ସ୍ଥିତିକୁ ନଜରରେ ରଖି ଅଧ ଘଣ୍ଟା ରିହାତି ରଖାଯାଇଛି। ଅର୍ଥାତ୍‌ ପ୍ରତିଦିନ ୧୦ଟାରୁ ସାଢ଼େ ୧୦ଟା ଭିତରେ କର୍ମଚାରୀମାନେ ଅଫିସରେ ପହଞ୍ଚତ୍ବେ। ସାଢ଼େ ସାତ ଘଣ୍ଟା ହିସାବ କରି ସେମାନେ ଅଫିସ ଛାଡ଼ିପାରିବେ। ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍‌ କଲେ ଲେଟ୍‌ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି। ଏମିତି ହେଲେ ସମ୍ପୃକ୍ତ କର୍ମଚାରୀ କାଜୁଆଲ୍‌ ଲିଭ୍‌ ପାଇଁ ଆବେଦନ କରିବେ। ଏଭଳି ଭୁଲ୍‌ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ବିଭାଗ ନିର୍ଦ୍ଦେଶ ଅନୁସାରେ, ସାଢ଼େ ୭ଘଣ୍ଟା କାର୍ଯ୍ୟ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଯଦି କେହି ୪ଘଣ୍ଟାରୁ ଅଧିକ, କିନ୍ତୁ ସାଢ଼େ ୭ଘଣ୍ଟାରୁ କମ୍‌ କାର୍ଯ୍ୟ କରିବେ ତେବେ ସେମାନଙ୍କର ହାଫ୍‌ ଡେ’ ଲିଭ୍‌ ପଡ଼ିବ। ଯଦି କେହି ୪ଘଣ୍ଟାରୁ କମ୍‌ କାର୍ଯ୍ୟ କରିବେ, ତେବେ ସେହିଦିନ ସେ ଅନୁପସ୍ଥିତ ବୋଲି ଗଣାଯିବ। ସେହିଭଳି ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।

Share