ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି: ଯୁକ୍ତ୩ ପରୀକ୍ଷାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଯୁକ୍ତ୩ ଶେଷ ତଥା ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ। ସେହିପରି ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଶେଷ ତଥା ୪ର୍ଥ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨୦ ମଧ୍ୟରେ ସରି ସେପ୍ଟେମ୍ବର ୨୦ ସୁଦ୍ଧା ଫଳ ବାହାଯିବ। ପରୀକ୍ଷା ତାରିଖ ନେଇ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିବେ। ସ୍ଥିତିକୁ ଦେଖି ବ୍ୟାକ୍‌ ପେପରଗୁଡ଼ିକର ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି ଗୁରୁବାର ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ତେବେ କୋଭିଡ୍‌-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ, ସାନିଟାଇଜେଶନ, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ନେଇ ବ୍ୟାଚ୍‌ କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପୂର୍ବରୁ କ୍ଲାସରୁମ୍‌ ଓ ଲାବରେଟେରିକୁ ବିଶୋଧାନ କରିବାକୁ କୁହାଯାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ଦ୍ବିତୀୟ ସେମିଷ୍ଟର ଓ ଦ୍ବିତୀୟ ବର୍ଷର ୪ର୍ଥ ସେମିଷ୍ଟର ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ବୁଧବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଗୁରୁବାର ସଚିବ ମିଶ୍ର ଏହି ବିଜ୍ଞପ୍ତି ଜାରି କରିଛନ୍ତି।

Share