ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ,ଭିତ୍ତିଭୂମି ପରଖିବା ପରେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ତାର ଉଚିତ୍‌ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉନି। ବିଶ୍ୱବିଦ୍ୟାଳୟର ବିକାଶରେ ସେ ଅର୍ଥ ଲାଗି ପାରୁନାହିଁ। ତୁରନ୍ତ ସେ ପାଣ୍ଠିକୁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବିନିଯୋଗ କର ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ଏହି ଅବସରରେ ସେ ପ୍ରଥମେ ଗୋବିନ୍ଦ ସାହୁ ମାର୍କେଟ ପରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲଗୁଡ଼ିକ ବୁଲି ଦେଖିଥିଲେ। ପରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ନେଇ ସେ କୁଳପତି ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ତାଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଉଚ୍ଚଶିକ୍ଷା ସଚିବ ଶଶ୍ୱତ ମିଶ୍ରଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ପୂର୍ବାହ୍ନ ୮ଟାରୁ ଅପରାହ୍ନ ଯାଏ ବିଶ୍ୱବିଦ୍ୟାଳୟ ପରିସରରେ ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ। ଉଲ୍ଲେଖଥାଉ କି, ଗତ ଦୁଇ ଦିନ ତଳେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ ଦାବି ନେଇ କୁଳପତିଙ୍କୁ ଘେରିଥିଲେ ଓ ସେମାନଙ୍କ ସମସ୍ୟାର ସମାଧାନ ଦାବି କରିଥିଲେ। ଏହା ଶୁଣି ମନ୍ତ୍ରୀ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିବା ଜଣାପଡ଼ିଛି।

Share