ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନ ଥାଇ କର୍ମୀମାନଙ୍କୁ ଗ୍ରାମ ଗ୍ରାମ ବୁଲି ସର୍ଭେ କରିବାକୁ ସିଡିପିଓ କହିବାରୁ ଉତ୍ତେଜନାମୟ ପରିସ୍ଥିତି ଓ ପାଟିତୁଣ୍ଡ ହୋଇଥିଲା । ସର୍ଭେ ପାଇଁ କର୍ମୀମାନେ ପ୍ରସ୍ତୁତ ଥିବା କହି ସେମାନେ ଜିଲାସ୍ତରୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶପତ୍ର ମାଗିଥିଲେ। ହେଲେ ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଏହି ନିର୍ଦ୍ଦେଶନାମାପତ୍ର କେହି ଦେଖାଇପାରି ନ ଥିଲେ। ଫଳରେ ବୈଠକରେ ଉପସ୍ଥିତ କିରାଣି ଓ ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ କର୍ମୀମାନେ ଘେରିଯାଇଥିଲେ। ସୂଚନାଯୋଗ୍ୟ, ଫନୀ ପ୍ରଭାବରେ ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ସହିତ ୩୭ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଶନ କାର୍ଡ ନ ଥିବା ପରିବାରକୁ ଚିହ୍ନଟ କରି ସେମାନଙ୍କ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ ୬୦୦ ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ କହିଥିଲେ। ତେବେ ସର୍ଭେ ପାଇଁ ଜିଲା ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ସିଡିପିଓ ଦେଖାଇ ନ ପାରିବାରୁ କର୍ମୀମାନେ ବିରୋଧ କରିଥିଲେ । ଘର ଘର ବୁଲି କର୍ମୀମାନେ ତାଲିକା ପ୍ରସ୍ତୁତ କଲାବେଳେ ଯଦି ଭୁଲ୍‌ରେ କୌଣସି ବ୍ୟକ୍ତିଙ୍କ ନାମ ଛାଡି ଦିଅନ୍ତି ତେବେ ଏମାନେ ସେହି ବ୍ୟକ୍ତିଙ୍କ ଆକ୍ରୋଶ ବା କ୍ରୋଧର ଶିକାର ହୋଇଥାନ୍ତିି। ସେଥିପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଇଁ ଉଚ୍ଚ ଅଧିକାରୀଙ୍କ ନିଦ୍ଦେଶାନାମାପତ୍ର ଜରୁରୀ ହୋଇଥାଏ।