ଉଚ୍ଛେଦକୁ ନେଇ ମହନ୍ତ, ସାଧୁସନ୍ଥଙ୍କ ମେଳି

ପୁରୀ ଅଫିସ, ୧୯।୯: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୀମା ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏଥିପାଇଁ ବର୍ତ୍ତମାନ ଡିଜିପିଏସ୍‌ ମ୍ୟାପିଂ ଚାଲିଛି। ତେବେ ଏହା ପୂର୍ବରୁ ମେଘନାଦ ପାଚେରି କଡ଼ରୁ ସରକାରୀ ଏବଂ ବେସରକାରୀ ନିର୍ମାଣ ଭଙ୍ଗାଯାଇଛି। ଏଥିସହ ଅସୁରକ୍ଷିତ ଦର୍ଶାଯାଇ ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଆଗକୁ ଆହୁରି ଏକାଧିକ ମଠ ଭାଙ୍ଗିବାକୁ ଥିବାବେଳେ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ମହନ୍ତ ଓ ସାଧୁସନ୍ଥଙ୍କ ମଧ୍ୟରେ ବିରୋଧାଭାସ ସୃଷ୍ଟି ହୋଇଛି। ଏ ନେଇ ପ୍ରତିବାଦ କେବଳ ପୁରୀ କିମ୍ବା ଓଡ଼ିଶାରେ ସୀମିତ ନାହିଁ, ରାଜ୍ୟ ବାହାରର ସାଧୁସନ୍ଥ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ଐତିହ୍ୟର ସୁରକ୍ଷା ବଦଳରେ ଉଚ୍ଛେଦ ଠିକ୍‌ ନୁହେଁ ବୋଲି ସେମାନେ ମତ ଦେଉଥିବା ବେଳେ ବୁଧବାର ରାଧାବଲ୍ଲଭ ମଠରେ ମହନ୍ତ ଓ ସାଧୁସନ୍ଥ ମେଳି ବାନ୍ଧିଥିଲେ।
ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମଠ ଓ ମନ୍ଦିର ଉଭୟ ପରିସ୍ପର ପରିପୂରକ। ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯଦି କୌଣସି ନିଷ୍ପତ୍ତି ନେଉଛନ୍ତି ତେବେ ମଠଗୁଡ଼ିକ କିପରି ସୁରକ୍ଷିତ ରହିପାରିବ ସେ ଦିଗରେ ମଧ୍ୟ ବ୍ୟବସ୍ଥା କରିବା ଦରକାର। ମଠଗୁଡ଼ିକ ଭଙ୍ଗାଯିବା ପୂର୍ବରୁ ପ୍ରଥମେ ମହନ୍ତ ଓ ସାଧୁସନ୍ଥଙ୍କ ସହ ଆଲୋଚନା କରାଯିବା ଉଚିତ ଥିଲା। ମଠ ଭଙ୍ଗାଗଲେ କେଉଁ ଜାଗାରେ ଥଇଥାନ କରାଯିବ, ବିସ୍ଥାପିତଙ୍କୁ କେଉଁଠି ସ୍ଥାନ ମିଳିବ ତାହା ଲିଖିତ ଭାବେ ଜଣାଇବା କଥା। କିନ୍ତୁ ଏହା ନ କରି ହଠାତ୍‌ ମଠ, ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ଠିକ୍‌ ହୋଇନାହିଁ। ସୁପ୍ରିମ୍‌କୋର୍ଟ ମଧ୍ୟ ସମସ୍ତଙ୍କ କଥା ବୁଝି ଉଚ୍ଛେଦ କାର୍ଯ୍ୟକୁ ଆଇନ ଅନୁଯାୟୀ କରିବା ଲାଗି ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଣିକି ଯାହା କିଛି ହେବ, ଆଇନ ଅନୁସାରେ କରାଯିବାକୁ ଦାବି ହୋଇଛି। ଶ୍ରୀକ୍ଷେତ୍ରରେ ମଠ, ମନ୍ଦିର ଭଙ୍ଗାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଠ, ଆଶ୍ରମର ସାଧୁସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସନାତନ ସନ୍ଥ ସମାଜର ପ୍ରାୟ ଶତାଧିକ ସାଧୁସନ୍ଥ ପୁରୀ ଆସିଛନ୍ତି। ଏମାନେ ଗୁରୁବାର ଦାମୋଦର ରୋଡ଼ସ୍ଥିତ ରାମକୃଷ୍ଣ ଆନନ୍ଦ ଧାମ ପରିସରରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗଦେଦେବେ। ସମ୍ମିଳନୀରେ ଉଚ୍ଛେଦକୁ ନେଇ ସେମାନେ ତାଙ୍କ ଆଭିମୁଖ୍ୟ ରଖିବେ ବୋଲି ରାଧାବଲ୍ଲଭ ମଠରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

Share