ଉଛୁଳିଲା ଗମ୍ଭାରିଆ ଯୋର

ପରଜଙ୍ଗ, ୨୪।୮(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମ ନିକଟରେ ଥିବା ଗମ୍ଭାରିଆ ଯୋର ଲଘୁଚାପଜନିତ ଲଗାଣ ବର୍ଷାରେ ଉଛୁଳିଛି। ଶୁକ୍ରବାର ଯୋର ନିକଟ ରାସ୍ତାରେ ୫ ଫୁଟର ପାଣି ପ୍ରବାହିତ ହୋଇଥିଲା। ଏହାକୁ ନେଇ ଯାତାୟାତ ପ୍ରଭାବିତ ହୋଇଥିଲା।
୫୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କୁଲେଇ ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ଗମ୍ଭାରିଆ ଯୋର। ବର୍ଷାଦିନ ଆସିଲେ ଅଞ୍ଚଳବାସୀ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ୧୪୯ନଂ. ଜାତୀୟ ରାଜପଥରୁ କୁଲେଇ ଗ୍ରାମକୁ ଯାତାୟାତ କରିବାକୁ ରାସ୍ତା ରହିଛି। ଲଗାଣ ବର୍ଷା ହେଲେ ଯୋର ଉପରମୁଣ୍ଡରୁ ପ୍ରବଳ ସ୍ରୋତ ମାଡ଼ି ଆସୁଛି। ରାସ୍ତାଟି ଅଳ୍ପ ଉଚ୍ଚତାରେ ଥିବାରୁ ଏହା ଉପର ଦେଇ ପାଣି ପ୍ରବାହିତ ହେଉଛି। ସମସ୍ୟା ଏତିକିରେ ସରୁନାହିଁ। ତୀବ୍ର ସ୍ରୋତ ଯୋଗୁ ପ୍ରତିବର୍ଷ ରାସ୍ତାରୁ ମୋରମ ଉଠିଯାଇ କ୍ଷତିଗ୍ରସ୍ତ ହେଉଛି। ରେଙ୍ଗାଳି ମୁଖ୍ୟ ବାମକେନାଲ ରାସ୍ତାକୁ ଗ୍ରାମବାସୀ ବିକଳ୍ପ ଭାବେ ବ୍ୟବହାର କରୁଥିଲେ ମଧ୍ୟ ଏଥିପାଇଁ ୫ କିମି ଅଧିକ ବୁଲାଣି ପଡୁଛି। ଯୋର ସଂଲଗ୍ନ ରାସ୍ତାରେ ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ସମିତିସଭ୍ୟ ଅଶୋକ ଜେନା କୁହନ୍ତି, ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଅଛି। ହେଲେ ଆନ୍ତରିକତା ଅଭାବରୁ ଏହାର ସମାଧାନ ହୋଇପାରୁନାହିଁ। ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା କୁହନ୍ତି, ଯୋର ନିକଟରେ ବିଜୁ ସେତୁ ଯୋଜନାରେ ବ୍ରିଜ୍‌ ତିଆରି କରିବାକୁ ଯୋଜନା ରହିଛି। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।