Categories: ମେଟ୍ରୋ

ଉଡ଼ିଗଲେ ଗେଣ୍ଡାଳିଆ, ଭାଙ୍ଗିଗଲା ବସା

ନରାଜ,୨୦ା୫(ଡି.ଏନ୍‌.ଏ.): ଫନୀ ପ୍ରଭାବରେ ନନ୍ଦନକାନନର ସବୁଜିମା ଏକ ପ୍ରକାର ଧଂସ୍ବ ହୋଇପଡିଛି। ଏଥିରେ କୌଣସି ଜୀବଜନ୍ତୁଙ୍କର କ୍ଷତି ହୋଇ ନ ଥିବା କର୍ତ୍ତୃପକ୍ଷ କହୁଥିବା ବେଳେ କେତେକ ମୁକ୍ତ ଜଙ୍ଗଲି ପଶୁପକ୍ଷୀ ଆଗଭଳି ଆଉ ଦେଖିବାକୁ ମିଳୁନି। ଏମାନଙ୍କ ମଧ୍ୟରେ ଗେଣ୍ଡାଳିଆ ପକ୍ଷୀ ଅନ୍ୟତମ। ବାତ୍ୟାରେ ନନ୍ଦନକାନନର ଅନେକ ବଡ ଗଛ ଉପୁଡି ପଡିବା ସହ ପକ୍ଷୀମାନଙ୍କର ବଡ ବଡ ବସା ଭାଙ୍ଗି ଯାଇଛି। ଫଳରେ ଏଠାରେ ଥିବା ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆଙ୍କ ମଧ୍ୟରୁ କିଛିଟା ମୃତାହତ ହୋଇ ପଡିଥିବାବେଳେ ଅଧିକାଂଶ ଅନ୍ୟତ୍ର ଚାଲିଯାଇଥିବା ପଶୁପ୍ରେମୀମାନେ ଅନୁମାନ କରୁଛନ୍ତି।
ବୋଟଘାଟ, କାଞିଆ ହ୍ରଦକୂଳ, ରୋପ ଓ୍ବେ, ଟିକେଟ ଘର ନିକଟରେ ଥିବା ବଡବଡ ଗଛଗୁଡ଼ିକରେ ଗତ ଆଠବର୍ଷ ହେଲା ପ୍ରାୟ ୪ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆ ପକ୍ଷୀ ବସାବାନ୍ଧି ରହି ଆସୁଥିଲେ। ପ୍ରଥମେ ଋତୁ ଅନୁଯାୟୀ ଆସୁଥିବାବେଳେ ପରେ ପରେ ସ୍ଥାୟୀ ଭାବେ ଏହି ଗଛରେ ବସା ବାନ୍ଧି ରହିିଲେ। ପର୍ଯ୍ୟଟକମାନେ ବୋଟଘାଟ ଦେଇ ଯିବାବେଳେ ପ୍ରଚୁର ପରିମାଣର ଗେଣ୍ଡାଳିଆ ମୁକ୍ତଭାବେ ବିଚରଣ କରିବା ଦେଖି ଖୁସି ହେଉଥିଲେ। ଏହାସହ କାଞିଆ ହ୍ରଦରେ ବୋଟିଂ କଲାବେଳେ ମଧ୍ୟ ପର୍ଯ୍ୟଟକମାନେ ଏହି ପକ୍ଷୀମାନଙ୍କୁ ଦେଖି ମନୋରଞ୍ଜନ କରିଥାନ୍ତି। ଏସବୁ ପକ୍ଷୀ ଜଙ୍ଗଲିଜନ୍ତୁ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏମାନଙ୍କୁ କେବଳ ଶିକାରି କବଳରୁ ସୁରକ୍ଷା ଦେବା ବ୍ୟତୀତ ଅନ୍ୟ କିଛି ଦାୟିତ୍ୱ ନେଇ ନ ଥାନ୍ତି। କେବଳ ବର୍ଷକୁ ଥରେ ଏଠାରେ ପକ୍ଷୀମାନଙ୍କୁ ଗଣନା କରାଯାଇଥାଏ। ବାତ୍ୟା ପରେ ଏମାନଙ୍କ ବସା ଭାଙ୍ଗିଯାଇଥିବାରୁ ଆଉ ଦେଖିବାକୁ ମିଳୁ ନାହାନ୍ତି ।

Share