ଉତ୍କର୍ଷ ଲାଗି ଜାରି ରହିଛି ପ୍ରଚେଷ୍ଟା: ଏଫଏମ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଆଜି

ବାଲେଶ୍ୱର ଅଫିସ, ୪।୩-ବାଲେଶ୍ୱର ଜିଲା ରେମୁଣାସ୍ଥିତ ବ୍ୟାସବିହାରଠାରେ ୧୯୯୯ ଜୁଲାଇ ୧୧ରେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ନାମାନୁସାରେ ପ୍ରତିଷ୍ଠା ହୋଇଥିଲା ଫକୀରମୋହନ ବିଶ୍ୱବିଦ୍ୟାଳୟ । ୨୧ ବର୍ଷରେ ପଦାର୍ପଣ କରିଥିବା ତଥା ନାକ୍‌ ମାନ୍ୟତା ପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ୧୫୧-୨୦୦ ଭିତରେ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ତା’ର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପାଳନ କରିବାକୁ ଯାଉଛି। ନୂଆପାଢ଼ୀ ସ୍ଥିତ ବିଶ୍ୱବିଦ୍ୟାଳୟର ନୂତନ ପରିସରରେ ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବେଦ୍‌ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବାଲେଶ୍ୱରର କେତେଜଣ ବୁଦ୍ଧିଜୀବୀ, ରାଜନେତା, ଖବରଦାତା ଓ ଲେଖକଙ୍କ ମିଳିତ ସହଯୋଗରେ ୧୯୭୮ ଅକ୍ଟୋବର ୨ରେ ଟାଉନହଲଠାରେ ଏହାର ଭିତ୍ତିଭୂମି ପାଇଁ ଉଦ୍ୟମ କରାଯାଇଥିଲା। ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ରବୀନ୍ଦ୍ର ମୋହନ ଦାସ, ବାଲେଶ୍ୱରର ବରପୁତ୍ର ମଇମୁଦ୍ଦିନ ଅହମ୍ମଦ ଓ ବରିଷ୍ଠ ଆଇନଜୀବୀ କୃଷ୍ଣ ଚରଣ ମହାନ୍ତିଙ୍କ ଅଦମ୍ୟ ପରିଶ୍ରମ ଫଳରେ ଓଡ଼ିଶାସରକାରଙ୍କ ସକାରାମତ୍କ ଦୃଷ୍ଟି ପାଇ ୧୯୯୯ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ୫ଟି ବିଭାଗକୁ ନେଇ ଉକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ୨୦୧୮ରୁ ନିୟମିତ ନୂତନ ୧୦ଟି ବିଭାଗରେ ଶିକ୍ଷାଦାନ ଚାଲିଛି। ସେହିପରି ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରୀଛାତ୍ର ଫକୀରମୋହନଙ୍କ ସମ୍ପର୍କରେ ବିଶେଷ ଅଧ୍ୟୟନ ପାଇଁ ଫକୀରମୋହନ ଷ୍ଟଡ଼ିଜକୁ ବାଧ୍ୟତାମୂଳକ କରାଯାଇଛି।
ଶିକ୍ଷା ତଥା ଆନୁଷଙ୍ଗିକ କ୍ଷେତ୍ରରେ ଉତ୍କର୍ଷ ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ତେବେ ଏହି ଶିକ୍ଷାନୁଷ୍ଠାନ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁ, ଏହା କାମନା କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ।