ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଗତ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆଶାୟୀ ପ୍ରଫେସରମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ଏକମାସ ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି। ଶିକ୍ଷାଦାନ ତଥା ପ୍ରଶାସନିକ କ୍ଷେତ୍ରରେ ଅତିକମ୍‌ରେ ୧୦ ବର୍ଷ ଅଭିଜ୍ଞତା ରହିଥିବା ପ୍ରାର୍ଥୀମାନେ କୁଳପତି ପଦବୀ ପାଇଁ ଆବେଦନ କରିପାରିବେ। ସେହିଭଳି କୌଣସି ଜାତୀୟସ୍ତରୀୟ ସାଂସ୍କୃତିକ ଶିକ୍ଷାନୁଷ୍ଠାନରେ ୧୦ବର୍ଷ ପ୍ରଫେସର ଭାବେ କାର୍ଯ୍ୟ କରିଥିବେ, ସମାନ ପଦବୀରେ ୧୦ ବର୍ଷ ଧରି ଗବେଷଣା କରିଥିବେ କିମ୍ବା ପ୍ରଶାସନିକ ଦାୟିତ୍ୱରେ ରହିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ବିଶ୍ବବିଦ୍ୟାଳୟ ଆଇନ ଅନୁଯାୟୀ କୁଳପତି ୩ବର୍ଷ ପାଇଁ ନିଯୁକ୍ତ ହେବେ ବୋଲି କୁଳସଚିବଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ନିୟମାନୁଯାୟୀ ୬୫ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଥିବାରୁ ଆବେଦନ କରିବା ପୂର୍ବରୁ ଆଶାୟୀ ପ୍ରଫେସରମାନେ ଯେପରି ସମ୍ପୂର୍ଣ୍ଣ ୩ ବର୍ଷ କାର୍ଯ୍ୟ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିଜ ନାମରେ କୌଣସି ପ୍ରକାର ଅଭିଯୋଗ କିମ୍ବା କୋର୍ଟରେ ମାମଲା ଥିଲେ ଆବେଦନ ସମୟରେ ଜଣାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ବିଶ୍ବବିଦ୍ୟାଳୟ ୱେବସାଇଟ୍‌ uuu.ac.in କିମ୍ବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ୍‌ odishaculture.gov.inରୁ ଫର୍ମ ଡାଉନ୍‌ଲୋଡ୍‌ କରି ଆଶାୟୀ ଆବେଦନ କରିପାରିବେ। ମଦନପୁରସ୍ଥିତ ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଠିକଣାରେ ୫ସେଟ୍‌ ଆବେଦନ ଫର୍ମ ପଠାଇବାକୁ କୁହାଯାଇଛି। ଗତ ସେପ୍ଟେମ୍ବରରେ ପ୍ରଫେସର କମଲକାନ୍ତ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱରେ ଅଛନ୍ତି।

Share