ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ କରାଯାଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ଶହେ ଜଣ ସ୍ବାସ୍ଥ୍ୟକର୍ମୀ ଓ ପ୍ଲାଜମା ଡୋନରଙ୍କ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଆଣ୍ଟିବଡ଼ି ଟେଷ୍ଟିଂ ହେଉଛି ରାପିଡ୍ ଟେଷ୍ଟିଂ ଭଳି। ଏହାଦ୍ୱାରା ୩ରୁ ୪ ଘଣ୍ଟା ମଧ୍ୟରେ କରୋନା ସମ୍ପର୍କରେ ସଠିକ୍ ତଥ୍ୟ ମିଳିିଥାଏ ବୋଲି କେଜିଏମ୍ୟୁ ଆଣ୍ଟିବଡ଼ି ଟେଷ୍ଟିଂର ମୁଖ୍ୟ ଡାକ୍ତର ତୁଲିକା ଚନ୍ଦ୍ରା କହିଛନ୍ତି। ଏହା କରୋନା ଭାଇରସ୍ ଆଣ୍ଟି ପିସିଆର ପରୀକ୍ଷାଠାରୁ ଭିନ୍ନ। ଆଣ୍ଟିବଡ଼ି ପରୀକ୍ଷା ଦ୍ୱାରା ସ୍ଥିର ହୋଇଥାଏ ଯେ, ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିଭାଇରସ୍ ତିଆରି ହୋଇଛି କି ନାହିଁ। ତେବେ ଏହି ପରୀକ୍ଷା କେବଳ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଉପରେ ବ୍ୟବହାର କରାଯିବ ବୋଲି ଡାକ୍ତର ତୁଲିକା ସୂଚନା ଦେଇଛନ୍ତି।