Categories: ଜାତୀୟ

ଉତ୍ତରପ୍ରଦେଶରେ ହାଇଆଲର୍ଟ: ୧୫ ଜିଲାରେ ଇଣ୍ଟରନେଟ ବନ୍ଦ, ଲକ୍ଷ୍ନୌରେ ଏସଏମ୍‌ଏସ୍‌ ସେବା ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୭।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦେଶରେ ଉତ୍ତେଜନା ଥମିବାର ନାଁ ନେଉନି। ଶୁକ୍ରବାର ନମାଜ ପାଠକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନମାଜ ପାଠ ପୂର୍ବରୁ ରାଜ୍ୟର ୧୫ଟି ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିବାବେଳେ ଲକ୍ଷ୍ନୌରେ ଏସଏମ୍‌ଏସ୍‌ ଉପରେ ମଧ୍ୟ କଟକଣା ଲଗାଯାଇଛି। ବୁଲନ୍ଦସହର, ମଥୁରା, ଗାଜିଆବାଦ, ଆଗ୍ରା ଓ ରାଜ୍ୟର ଏକାଧିକ ସ୍ଥାନରେ ଏଭଳି କଟକଣା ଲଗାଯାଇଛି। ବୁଲନ୍ଦସହରରେ ଡିସେମ୍ବର ୨୮ ଯାଏ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ଆଗ୍ରାରେ ୨୭ ଯାଏ କଟକଣା ଲାଗିଛି। ଗୁଜବ ପ୍ରଚାର କରାଯାଇ ଆନ୍ଦୋଳନକୁ କିଛି ଲୋକ ଉସକାଇବାକୁ ଚାହୁଁଥିବା ପୋଲିସ ଜାଣିବା ପରେ ଏଭଳି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ନମାଜ ପାଠ ପରେ ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା।

Share