ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ

ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟତଃ ପି.ଜି. ପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି, ପି.ଜି. ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ବୈଠକ, ଖାତା ମୂଲ୍ୟାୟନ ପ୍ରଣାଳୀରେ ଥିବା ଦୋଷ ଦୁର୍ବଳତା ଏବଂ ଡିଜିଟାଲ ପ୍ରଣାଳୀରେ ପିଏଚ.ଡି. ଥେସିସ କିପରି ସୁରୁଖୁରୁରେ ମୂଲ୍ୟାୟନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଯୋଗ ଦେଇଥିବା ସମସ୍ତ ସଦସ୍ୟମାନଙ୍କୁ କୁଳପତି ଡ. ଚାନ୍ଦ ସ୍ବାଗତ କରିବା ପରେ ସଦସ୍ୟମାନେ ନିଜ ନିଜର ପରିିଚୟ ପ୍ରଦାନ କରିଥିଲେ। କୁଳସଚିବ ତଥା ରସାୟନ ବିଭାଗ ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏଥି ପୂର୍ବରୁ ଅନୁଷ୍ଠିତ ଏକାଡେମିକ କାଉନସିଲ ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ସଦସ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ତାହା ଗୃହୀତ ହୋଇଥିଲା। ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ କୁଳପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଥିଲା। ପରୀକ୍ଷା ନିୟନ୍ତ୍ରକ ଡ. ଯୁବେନ୍ଦୁ କୁମାର ମନ୍ତ୍ରୀ ସ୍ବଳ୍ପ ସମୟ ମଧ୍ୟରେ ବିଭିନ୍ନ ସେମିଷ୍ଟର ଖାତା ମୂଲ୍ୟାଙ୍କନ କରିବା, ଶେଷ ବର୍ଷ ପରୀକ୍ଷାଫଳ ଠିକ୍‌ ସମୟରେ ପ୍ରକାଶ କରିବା, ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ଏବଂ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିବାରୁ କୁଳପତି ଡ.ଚାନ୍ଦଙ୍କୁ ପ୍ରଶଂସା କରିଥିଲେ। ବୈଠକରେ ପି.ଜି କାଉନିସଲ ଚେୟାରମ୍ୟାନ ତଥା ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ସସ୍ମିତା କର, ଦୂରନିରନ୍ତର ଶିକ୍ଷା ବିଭାଗର ନିର୍ଦ୍ଦେଶକ ପ୍ରଫେସର ହେମନ୍ତ କୁମାର ସାହୁ, ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କା, ପ୍ରାଣୀବିଜ୍ଞାନ ମୁଖ୍ୟ ଡକ୍ଟର ପୁଷ୍ପାଞ୍ଜଳି ପରିଡା, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଫେସର ଉମାବଲ୍ଲଭ ମହାପାତ୍ର, ଏମସିଏ ବିଭାଗୀୟ ମୁଖ୍ୟ ଡକ୍ଟର ସୁଜାତା ଦାସ, ବାୟୋଟେକ୍ନୋଲୋଜି ବିଭାଗୀୟ ମୁଖ୍ୟ ଡକ୍ଟର ସୁକାନ୍ତ ନାୟକ, ମହାରାଜା ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ଝରଣାରାଣୀ ବେହେରା, ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଶୂଳିଆପଦା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପରୀକ୍ଷା ନିୟନ୍ତ୍ରକ ଡ. ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ା