ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋର୍‌ଦାର

କେନ୍ଦୁଝର,୨୧।୮(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଥିବା ଦ୍ୱିତୀୟ କ୍ୟାମ୍ପସରେ ବ୍ୟାପକ ଅବ୍ୟବସ୍ଥା ନେଇ ଛାତ୍ରୀଛାତ୍ର ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଜରିଆରେ କୁଳପତିଙ୍କୁ ଦାବିପତ୍ର ଦେଇ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ୨୦ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ବାଧ୍ୟ ହୋଇ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତିି। ଦାବିଗୁଡ଼ିକ ମଧ୍ୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇଥିବା ରାସ୍ତା ମରାମତି, ବିଭିନ୍ନ ବିଭାଗକୁ କମ୍ପ୍ୟୁଟର ଯୋଗାଣ, ପାର୍କିଂ ବ୍ୟବସ୍ଥା, ସରକାରୀ ନିୟମାନୁଯାୟୀ ଫି’ ଛାଡ଼, ଓ୍ବାଇଫାଇ ସୁବିଧା, ଆବଶ୍ୟକ ଅଧ୍ୟାପକ ନିଯୁକ୍ତି, ରାସ୍ତାରେ ଆଲୋକ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ବିଳମ୍ବ କରୁଥିବାରୁ ଛାତ୍ରୀଛାତ୍ର ତଥା ଅନ୍ୟ କର୍ମଚାରୀ ଯାତାୟାତରେ ସମସ୍ୟା ଭୋଗୁଥିବା କହିଛନ୍ତି। ଏନେଇ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ହୀରାଲାଲ ଦାଶ କହିଛନ୍ତି ଯେ, ପିଲାଙ୍କ ଦାବିପତ୍ରକୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ପଠାଇ ଦିଆଯିବ ଏବଂ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ।