ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

ବାରିପଦା ଅଫିସ,୬।୮- ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡ.ତରୁଣ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥାପନ କରାଯାଇଥିବା ଦାବି ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଗୋଟିଏ ସ୍ଥାନରେ ପରିଚାଳିତ ହେଉଛି। ଏଠାରେ ୩୫୫ ଶଯ୍ୟା ରହିଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏଠାରେ ଶଯ୍ୟା ସଂଖ୍ୟା ୧୦୦୦କୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ସେହିପରି ଜିଲାର ବିଭିନ୍ନ ଚିକିତ୍ସାଳୟଗୁଡିକରେ ଖାଲି ପଡିଥିବା ଡାକ୍ତର, ଟେକ୍ନିସିଆନ, ଫାର୍ମାସିଷ୍ଟ ଓ ରେଡିଓଗ୍ରାଫର ପଦବୀଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଦାବି କରାଯାଇଛି। ବାରିପଦା ସ୍ଥିତ ହୋମିଓପାଥିକ ଓ ଆୟୁର୍ବେଦିକ କଲେଜକୁ ସମ୍ପୂର୍ଣ୍ଣ ଭାବେ ସରକାରୀ କରିବାକୁ ଦାବି କରାଯାଇଛି। ଏହାସହ ବାରିପଦା ସହରରେ ଦୀର୍ଘ ଦିନ ହେଲା ଅସ୍ଥାୟୀ ଭାବେ ବସବାସ କରିଆସୁଥିବା ଗରିବ ଲୋକଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି। ସଭା ପରେ ଏକ ଦାବିପତ୍ର ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମଲିକ, ଉପସଭାପତି ଆଲୋକ ପଣ୍ଡା, ସୁନୀଲ ହେମ୍ବ୍ରମ, ରିତ କୁମାର ଷଡଙ୍ଗୀ, ଅରବିନ୍ଦ କଟୁଆଳ, ଅସିତ ମଲିକ ଓ ବାରିପଦାସହରର ବିଭିନ୍ନ ୱାର୍ଡର ଜନସାଧାରଣ ଯୋଗ ଦେଇଥିଲେ।