ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ପରୀକ୍ଷା ଫି କମାଇବା ଦାବିରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୧: ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ପରିଚାଳନାଗତତ୍ରୁଟି ଯୋଗୁ କିଛି ଦିନ ହେବ ଛାତ୍ର ଆନ୍ଦୋଳନ ଲାଗି ରହିଛି। ବିଭିନ୍ନ ଦାବି ନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ବିଭାଗର ଛାତ୍ରୀଛାତ୍ରମାନେ ଭୁବନେଶ୍ୱରକୁ ଅହିଂସା ପଦଯାତ୍ରାରେ ବାହାରି ଥିବା ବେଳେ ବୁଧବାର ବିଶବିଦ୍ୟାଳୟର ସମସ୍ତ ବିଭାଗର ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ପରୀକ୍ଷା ଫି କମାଇବା ଦାବି ନେଇ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ ଓ ଧାରଣାରେ ବସିଥିଲେ। ଛାତ୍ରୀଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦ ବୁଝାଇବାକୁ ଆସି ଥିଲେ ମଧ୍ୟ ସେମାନେ ଯିଦରେ ଅଟଳ ରହିଛନ୍ତି। ଗୁରୁବାର ପୁନର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ଫି ୭୪୦ ଟଙ୍କାରୁ ୩୯୦ ଟଙ୍କା କମା ଯାଇଥିବା ବେଳେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ଫି ୭୪୦ ଟଙ୍କା ରଖା ଯାଇଛି। ତେବେ ସେମାନଙ୍କ ପରୀକ୍ଷା ଫି କମ୍‌ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ଛାତ୍ରନେତା ଚିତେଶ୍ୱର ବେହେରା ଓ ମନୀଷ ଗିରି କହିଛନ୍ତି । ଛାତ୍ର ଆକାଶ ମହାନ୍ତି, ଅସଲାମ ମହମ୍ମଦ, ଲୋକନାଥ ମହାନ୍ତ, ରାଜେଶ ସାହୁ, ରାଜକିଶୋର ସ୍ବାଇଁ, ସମୀର ଲେଙ୍କା, ଗୁଣନିଧି ସାହୁ ପ୍ରମୁଖଙ୍କ ସହ ସମସ୍ତ ଛାତ୍ରୀଛାତ୍ର ଏଥିରେ ସାମିଲ ହୋଇଥିଲେ।

Share