ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଧାରଣାରେ ବସିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୮ା୧୧- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ବୁଧବାର ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ବିଭାଗର ସମସ୍ତ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ପରୀକ୍ଷା ଫି’ କମାଇବା ଦାବି ନେଇ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ଏହାର କିଛି ସମାଧାନ ନ ହେବାରୁ ଗୁରୁବାର ଛାତ୍ରୀଛାତ୍ରମାନେ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ବାତ୍ୟା ଆଶଙ୍କା କରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଜିଲା ପ୍ରଶାସନ ବାତ୍ୟା ଯୋଗୁ କୌଣସି ପଦକ୍ଷେପ ନେଇ ନ ଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ଶୁଣି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଧାରଣାରତ ଛାତ୍ର ନେତା ଚିତେଶ୍ୱର ବେହେରା ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ଫି’ ୭୪୦ ଟଙ୍କାରୁ ୩୯୦ ଟଙ୍କା କମା ଯାଇଥିବା ବେଳେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ଫି’ ୭୪୦ ଟଙ୍କା ରଖା ଯାଇଛି। ଛାତ୍ରନେତା ମନୀଷ ଗିରି, ଆକାଶ ମହାନ୍ତି, ଅସଲାମ ମହମ୍ମଦ, ଲୋକନାଥ ମହାନ୍ତ, ରାଜେଶ ସାହୁ, ରାଜକିଶୋର ସ୍ବାଇଁ, ସମୀର ଲେଙ୍କା, ଗୁଣନିଧି ସାହୁ ପ୍ରମୁଖଙ୍କ ସହ ସମସ୍ତ ଛାତ୍ରୀଛାତ୍ର ଧାରଣାରେ ସାମିଲ ହୋଇଛନ୍ତି ।