ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ

ଜେନିଭା, ୧୦ା୬: ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି। ଦେଶର ୪୦% ଅର୍ଥାତ୍‌ ୧୦ ନିୟୁତ ଲୋକ ଠିକ୍‌ ଭାବେ ଖାଇବାକୁ ପାଉନାହାନ୍ତି ବୋଲି ଜାତିସଂଘ ମାନବାଧିକାର ବିଶେଷଜ୍ଞ ଥୋମାସ୍‌ ଓଜେଆ କ୍ୱିଣ୍ଟାନା ମଙ୍ଗଳବାର ପ୍ରକାଶ କରିଛନ୍ତି। ସେଠାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ ଏନେଇ ସହଯୋଗ କରିବାକୁ ସେ ଦାବି କରିଛନ୍ତି। ଅନେକ ଲୋକ ଠିକ୍‌ଭାବେ ଦୁଇଓଳି ଖାଇବାକୁ ପାଉନାହାନ୍ତି। ପୁଷ୍ଟିକର ଖାଦ୍ୟ ସଙ୍କଟରୁ ସେମାନେ ବିଭିନ୍ନ ରୋଗରେ ପଡ଼ିବାର ଆଶଙ୍କା ରହିଛି। ଅନେକେ ଅନାହାରରେ ଜୀବନ ବିତାଉଛନ୍ତି। କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଚାଇନା ସୀମା ବନ୍ଦ ରହିଥିବାରୁ ସେମାନଙ୍କ ପାଖରେ ଅନ୍ୟ ଉପାୟ କିଛି ନାହିଁ। କରୋନା ଲାଗି ଅନେକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଔଷଧ ଦର ମଧ୍ୟ ଆକାଶଛୁଆଁ ହୋଇପଡ଼ିଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖପାତ୍ର ଏଲିଜାବେଥ ବାୟର୍ସ କହିଛନ୍ତି, ଏବେ ସେଠାରେ ପରିସ୍ଥିତି ସଙ୍କଟଜନକ ଥିବାରୁ ମାନବୀୟ ସହାୟତାର ଆବଶ୍ୟକତା ରହିଛି।

Share