ଶୁଣିବାକୁ ମିଳେ ପରୀକ୍ଷାରେ ଅଧିକ ନମ୍ବର ଦେବା ପାଇଁ କେତେଜ ପିଲା ଉତ୍ତର ଖାତାରେ ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି। ହେଲେ ଏବେ ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଉକ୍ତ ଉତ୍ତର ଖାତାରେ ଜଣେ ଛାତ୍ର ତାଙ୍କ ବୋନସ ନମ୍ବରକୁ କମ୍ ନମ୍ବର ରଖିଥିବା ସାଥିଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ଏହା ଦେଖିବା ପରେ ଶିକ୍ଷକ ଜଣକ ଉତ୍ତର ଖାତାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଯାହା ଏବେ ଭାଇରାଲ ହୋଇଛି। ଏହାକୁ ଦେଖିବା ପରେ କେତେଜଣ ୟୁଜର୍ସ କହିଛନ୍ତି ଶିକ୍ଷକ ହୋଇଥିବାରୁ ଓ ନ୍ୟାୟ ଦୃଷ୍ଟିରୁ ଜଣଙ୍କର ବୋନସ୍ ପଏଣ୍ଟ ଆଉ କାହାକୁ ଦେବା ଠିକ୍ ନୁହେଁ। ଆଉ କେତେଜଣ ଲେଖିଛନ୍ତି ମାନବିକତା ଏବେବି ବଞ୍ଚିଛି। ଛୋଟ ପିଲା ହୋଇ ମଧ୍ୟ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବୋନସ ପଏଣ୍ଟ ଭଲ ପଢୁଥିବା ଛାତ୍ରଙ୍କ ପାଇଁ ଯେତିକି ଆବଶ୍ୟକ ନୁହେଁ ଅନ୍ତତଃ ପକ୍ଷେ ଏହି ନମ୍ବର ମିଶିଗଲା ପରେ ଯଦି ଜଣେ ଫେଲ୍ ହେଉଥିବା ଛାତ୍ର ପାସ୍ କରିଯାଆନ୍ତି ତେବେ ତାହା ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣା କେଉଁ ସ୍ଥାନର ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।