ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ

ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି ସିନା, ସେ ଚାଉଳ ଗ୍ରହଣ କରିନାହିଁ। ତା’ର ମନେପଡ଼ିଯାଇଛି ସତ୍ୟବାଦୀ ବନ ବିଦ୍ୟାଳୟରେ ପଢ଼ାଯାଉଥିବା ସେହି ପଦ: ”ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ।“ ଏତିକି କହି ସେ ସେଠି ଟଳିପଡ଼ିଛି। ବୋଧହୁଏ ସେହିଦିନ ଏହି ମହାନ୍‌ ସ୍ବାଭିମାନୀ ଓଡ଼ିଆ ଜାତିର ମୃତ୍ୟୁ ଘଟିଛି। ଆଜି ସମସ୍ତେ ହାତ ଟେକି କହୁଛନ୍ତି, ‘ଚାଉଳ ଦିଅ, ଗହମ ଦିଅ, ଛତା ଦିଅ, ସାଇକେଲ ଦିଅ, ଭତ୍ତା ଦିଅ’ ଇତ୍ୟାଦି। ଦରିଦ୍ର ଜନତାର ବିକଳ ଚିକତ୍ାର ଶୁଣି ସରକାର ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୧ ଟଙ୍କିଆ ଚାଉଳ, ୫ ଟଙ୍କିଆ ଆହାର, ବେକାରି ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, କଳାକାର ଭତ୍ତା ଆଦି ଅନେକ ଯୋଜନା କାର୍ଯ୍ୟକାରୀ ହେଲାଣି। ନିର୍ବାଚନ ସମୟ ଆସିଲେ ଲୋକେ ମାଗଣାରେ ଅନେକ ଦ୍ରବ୍ୟ ପାଇବା ପାଇଁ ଚାହିଁ ବସୁଛନ୍ତି। ସରକାର ଆଶା କରୁଥିଲେ ସହାୟତା ପାଇଲେ ଲୋକେ ପ୍ରୋସତ୍ାହିତ ହେବେ ଓ ତା’ର ସଦୁପଯୋଗକରି ସ୍ବାବଲମ୍ବୀ ହେବେ। ମାତ୍ର ସେହି ଆଶା ନିରାଶାରେ ପରିଣତ ହୋଇଛି। ରାଜ୍ୟରେ ଯେମିତି କେହି ଖାଇବାକୁ ନ ପାଇ ଜୀବନ ନ ହାରେ, ସେଥିପାଇଁ ଟଙ୍କିକିଆ ଚାଉଳ ଯୋଗାଣ ହେଲା। ମାତ୍ର ଆଜି ଏହି ଯୋଜନା ମଣିଷକୁ ଶ୍ରମ ବିମୁଖ କରିଛି। ଗୋଟିଏ ଦିନ ଶ୍ରମ କଲେ ସେହି ପାରିଶ୍ରମିକରେ ଗୋଟିଏ ମାସ ପାଇଁ ଚାଉଳ ମିଳିଯାଉଥିବାରୁ ଲୋକେ ବାକି ଦିନ ଘରେ ବସି ରହୁଛନ୍ତି। ପଛୁଆ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ଅନେକ ଯୋଜନା କଲେ। ରାଜ୍ୟରେ କେହି ଗରିବ ଗୃହଶୂନ୍ୟ ନ ରୁହନ୍ତି ଚିନ୍ତାକରି ସରକାର ଇନ୍ଦିରା ନିବାସ, ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହି ଗରିବମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଉପଯୋଗ କରିବା ପାଇଁ ବିପିଏଲ୍‌ କାର୍ଡ ଦେଉଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସମର୍ଥମାନେ ମଧ୍ୟ ଯୋଜନାଗୁଡ଼ିକ ହାତେଇବା ପାଇଁ ବିପିଏଲ୍‌ କାର୍ଡଧାରୀ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏବେ ଗରିବ ହେବା ପାଇଁ ପ୍ରତିଯୋଗିତା ଚାଲିଛି। ଏଇ ବୀର ଓଡ଼ିଆ ଜାତି ଆଜି ମାନସିକତାରେ କାଙ୍ଗାଳ।
ଆଜିର ଓଡ଼ିଆମାନଙ୍କର ଏହି ମାନସିକତା ମନେପକାଇଦିଏ ଏକ ପ୍ରାଚୀନ କାହାଣୀ। ଥିଲେ ଜଣେ ରାଜା। ଦିନେ ସେ ରାସ୍ତାରେ ଯାଉ ଯାଉ ଦେଖିଲେ ଜଣେ ପିଲା ପକ୍ଷୀଟିଏ ଧରି ପିଞ୍ଜରାରେ ଭର୍ତ୍ତି କରୁଛି। ପକ୍ଷୀଟି ଛଟପଟ ହୋଇ ପିଲାଟି ହାତରୁ ଖସିଯିବା ପାଇଁ ଚେଷ୍ଟା କରୁଛି ଓ କ୍ଷତାକ୍ତ ହେଉଛି। ଏହି ଘଟଣାଟି ରାଜାଙ୍କ ହୃଦୟରେ ଦୟାଭାବ ଜାଗ୍ରତ କଲା। ରାଜା ସେହି ପିଲାଟିକୁ କିଛି ଅର୍ଥ ଦେଇ ପକ୍ଷୀଟିକୁ ମୁକ୍ତ କରିବା ପାଇଁ କହିଲେ। ପିଲାଟି କିଛି ଅର୍ଥ ପାଇ ପକ୍ଷୀଟିକୁ ନୀଳ ଆକାଶକୁ ଉଡ଼ାଇଦେଲା। ଏହା ଦେଖି ସେଠି ଉପସ୍ଥିତ ଥିବା ଜନସାଧାରଣ ରାଜାଙ୍କୁ ପ୍ରଶଂସାକଲେ। ତା’ ପରଦିନ ରାଜା ଘୋଷଣାକଲେ ଯିଏ ଘରେ ଚଢ଼େଇ ରଖିଛି ତାକୁ ଆଣି ରାଜାଙ୍କୁ ଦେଲେ ରାଜା ପକ୍ଷୀଟିକୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ତା’ର ପାଳକକୁ ପୁରସ୍କାର ଦେବେ। ଦେଖାଗଲା, ବହୁ ଲୋକ ପକ୍ଷୀ ଧରି ଆସୁଛନ୍ତି ଓ ପକ୍ଷୀକୁ ମୁକ୍ତକରି ପୁରସ୍କାର ଧରି ଫେରୁଛନ୍ତି। ଏହାର ସଂଖ୍ୟା ବଢ଼ି ବସିବାରୁ ରାଜାଙ୍କ ମନରେ ସନ୍ଦେହ ଆସିଲା। ଏହାର ରହସ୍ୟ ଜାଣିବା ପାଇଁ ସେ ରାଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ଶେଷରେ ରହସ୍ୟ ଉଦ୍‌ଘାଟିତ ହେଲା। ଯେଉଁମାନେ ଚଢ଼େଇ ପାଳନକରି ନ ଥିଲେ ସେମାନେ ବି ପୁରସ୍କାର ପାଇବା ପାଇଁ ଚଢ଼େଇ ଧରୁଥିଲେ ଓ ରାଜାଙ୍କ ପାଖରେ ପହଞ୍ଚୁଥିଲେ। ଠିକ୍‌ ସେପରି ଆଜି ଯେଉଁମାନେ ସମର୍ଥ ସେମାନେ ମାଗଣା ଜିନିଷ ପାଇବା ପାଇଁ ନିଜକୁ ଗରିବ ତାଲିକାରେ ସାମିଲ କରିବା ପାଇଁ ପଛାଉନାହାନ୍ତି। ସମସ୍ତେ ଚିକତ୍ାର କରୁଛନ୍ତି- ଆମେ ଦରିଦ୍ର, ଆମକୁ ଦିଅ। ଏହି ମାନସିକତାର ସୁଯୋଗ ନେଉଛନ୍ତି ରାଜନୈତିକ ନେତାମାନେ। ଚାଉଳ କିଲୋ ୧ ଟଙ୍କାରେ ଯୋଗାଇଦେଲେ ସେମାନେ ଭାବୁଛନ୍ତି ତାଙ୍କ ଦଳ ଗରିବ ହିତୈଷୀ। ପ୍ରତ୍ୟେକ ଦଳ ଭାବୁଛନ୍ତି ସେମାନେ ହିଁ କେବଳ ଗରିବୀ ହଟାଅ ଯୋଜନାରେ ସଫଳ ପ୍ରଯୋଜକ। ଏହି ଅହଂକାର ଓ ଆସ୍ଫାଳନ ଭିତରେ ସେମାନେ ଭୁଲିଯାଉଛନ୍ତି ଯେ ଏହାଦ୍ୱାରା ସେମାନେ ଆଗାମୀ ପିଢ଼ିର ସର୍ବନାଶ କରିବାକୁ ଯାଉଛନ୍ତି।
ଏହି ପ୍ରସଙ୍ଗରେ ମନେପଡ଼େ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଏକ କାହାଣୀ। ରାଜାଙ୍କ ଉଦ୍ୟାନକୁ ନଷ୍ଟ କରୁଥାଏ ଏକ ପଶୁ। ଏଣୁ ରାଜାଙ୍କ ୨ ମାଳୀ ସେହି ପଶୁକୁ ଧରିବା ପାଇଁ ଏକ ଫାଶ ଜାଲ ବିଛେଇଦେଲେ। ପରଦିନ ଦେଖାଗଲା ସେହି ପଶୁଟି ଧରା ନ ପଡ଼ି ଧରା ପଡ଼ିଛି ଏକ ବ୍ୟାଘ୍ର। ଜାଲ ଭିତରେ ବନ୍ଦୀ ଥିବା ବାଘ କାହାରି କ୍ଷତି କରିପାରିବ ନାହିଁ ଭାବି ଜଣେ ମାଳୀ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ କହିଲା, ସେ ବାଘ ପିଠିରେ ବସିବ। ଅନ୍ୟ ମାଳୀଟି କହିଲା, ତା’ର ଶକ୍ତି ବି କମ୍‌ ନୁହେଁ, ସେ ବି ବସିପାରିବ। ଉଭୟଙ୍କ ମଧ୍ୟରେ ଆସ୍ଫାଳନର ପ୍ରତିଯୋଗିତା ଚାଲିଲା। ଏହା ଭିତରେ ସେଠି ଅନେକ ଲୋକ ରୁଣ୍ଡ ହୋଇଗଲେ। ଦୈବାତ୍‌ ପହଞ୍ଚତ୍ଲେ ରାଜାଙ୍କ ୨ଜଣ ହାକିମ। ସେମାନେ ବି ଜାଲବନ୍ଦୀ ବାଘ ଉପରେ ବସି ଶକ୍ତି ପ୍ରଦର୍ଶନ କରିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁଲେ ନାହିଁ। ଉଭୟ ହାକିମ ମଧ୍ୟରେ ଆସ୍ଫାଳନର ପ୍ରତିଯୋଗିତା ଚାଲିଥିବା ବେଳେ ପହଞ୍ଚତ୍ଲେ ରାଜା ଓ ରାଜପୁତ୍ର। ରାଜା ପୃଥୁଳ ଥିବାରୁ ଅସମର୍ଥ ଭାବି ରାଜକୁମାରଙ୍କୁ ବ୍ୟାଘ୍ରାରୋହଣ କରି ଶକ୍ତି ପ୍ରଦର୍ଶନ କରିବା ପାଇଁ କହିଲେ। ଶେଷରେ ରାଜପୁତ୍ର ବ୍ୟାଘ୍ରାରୋହଣ କଲେ। ଜାଲଟିକୁ କାଟି ଦିଆଗଲା। ବାଘ ରାଜପୁତ୍ରକୁ ପିଠିରେ ବସାଇ ଅରଣ୍ୟ ମଧ୍ୟକୁ ଚାଲିଗଲା। ଲୋକେ କରତାଳି ଦେଲେ। ହଠାତ୍‌ ରାଜା ଚିନ୍ତିତ ଜଣାପଡ଼ିଲେ। ଚିନ୍ତାର କାରଣ ଥିଲା ରାଜପୁତ୍ର ତ ବ୍ୟାଘ୍ରାରୋହଣ କଲେ, କିନ୍ତୁ ଫେରିବେ କେମିତି? ରାଜାଙ୍କ ଆଦେଶରେ ତତ୍‌କ୍ଷଣାତ୍‌ ରାଜ କର୍ମଚାରୀମାନେ ରାଜକୁମାରଙ୍କ ସନ୍ଧାନରେ ବାହାରିଲେ, ମାତ୍ର ଫେରିଲେ ତାଙ୍କ ରକ୍ତାକ୍ତ ଉତ୍ତରୀୟଟି ଧରି। ଆଜି ରାଜନୈତିକ ଜନତାମାନେ ଆସ୍ଫାଳନର ବାଘ ଉପରେ ଦେଶର ଉତ୍ତରାଧିକାରୀଙ୍କୁ ବସାଇ ଦେଉଛନ୍ତି ଓ ସର୍ବନାଶ କରୁଛନ୍ତି।
ସମ୍ପ୍ରତି ରାଜନେତାମାନେ ନିଜକୁ ଗରିବମାନଙ୍କ ତ୍ରାଣକର୍ତ୍ତା ବୋଲି ଘୋଷଣା କରୁଛନ୍ତି। ଏହାର ଅର୍ଥ ନୁହେଁ ଯେ ଗରିବଙ୍କ ପ୍ରତି ସେମାନଙ୍କ ଦୟାଭାବ ଅଛି। ସେମାନେ ଏହି ସାମୟିକ ତଥାକଥିତ ଦୟାଭାବ ଦେଖାନ୍ତି କେବଳ ଭୋଟ ହାତେଇବା ପାଇଁ। ପ୍ରକୃତରେ ଗରିବମାନଙ୍କୁ ଦୟା ପ୍ରଦର୍ଶନକରି ସେମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିହେବ ନାହିଁ। ଏଣୁ ଯୋଗୀ ଅରବିନ୍ଦ କହିଥିଲେ, ”ଯେ ପର୍ଯ୍ୟନ୍ତ ତୁମ ଅନ୍ତରାମତ୍ା ଭିନ୍ନତା ଦେଖୁଛି, ସେ ପର୍ଯ୍ୟନ୍ତ ତୁମ ଅନୁକମ୍ପା ଭାବ ପଶୁମାନଙ୍କ ପ୍ରତି ଦେଖାଇପାର। କିନ୍ତୁ ତୁମଠୁ ମଣିଷର ପ୍ରାପ୍ୟ ମହତ୍ତର କିଛି। ତା’ର ଲୋଡ଼ା ପ୍ରେମ, ସହାନୁଭୂତି, ମିତ୍ରତା ଓ ଭ୍ରାତୃଭାବ ସମ୍ମତ ସହାୟତା।“ ମଣିଷ ସହ ମଣିଷର ସମ୍ପର୍କ ଅନୁକମ୍ପା ଭିତ୍ତିରେ ପ୍ରତିଷ୍ଠା ହେବା କଥା ନୁହେଁ। ଯଦି ସେମିତି ହେଉଥାଏ ତେବେ ସେ ସମ୍ପର୍କ ସୂଚନା ଦିଏ ଯେ ସତେ ଅବା ଜଣେ ଭାଗ୍ୟବାନ୍‌ ଓ ଆଉ ଅନ୍ୟ ଜଣେ ହତଭାଗା। ମାତ୍ର ଏହା ଏକ ଭ୍ରାନ୍ତ ଧାରଣା। ପ୍ରତ୍ୟେକଙ୍କ ବିକାଶ ନିମନ୍ତେ ଆବଶ୍ୟକ ଅଭିଜ୍ଞତା ଓ ସଂଗ୍ରାମ। ମଣିଷ ଆଳସ୍ୟ କବଳିତ ହେଲେ ବିକାଶ ହୁଏ ନାହିଁ। ଆଜି ବିଭିନ୍ନ ସରକାରୀ ଯୋଜନା ମଣିଷକୁ ପଙ୍ଗୁ କରିଦେଇଛି। ବିକାଶ ପାଇଁ ଲୋଡ଼ା କଠିନ ପରିଶ୍ରମ ଓ ସଂଗ୍ରାମ। ଅନ୍ୟର ଦୟାକୁ ଅପେକ୍ଷାକରି ରହିଲେ ବିକାଶ ସମ୍ଭବ ନୁହେଁ। ସେଦିନ ବିକାଶ ସମ୍ଭବ ହେବ, ଯେଉଁଦିନ ଗୋଦାବରୀଶ ମହାପାତ୍ରଙ୍କ ବେଣୁଧରର ହେବ ପୁନର୍ଜନ୍ମ।
ମେ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri