ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ଉତ୍ତରପ୍ରଦେଶରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଏକ ପ୍ରକଳ୍ପର ଭୂମି ପୂଜନ ଅବସରରେ ଶାହ କହିଛନ୍ତି, ଗୋଟିଏ ମ୍ୟୁନିସିପାଲିଟି ଚଲାଇବାର ଅନୁଭୂତି ନ ଥିବା ଯୋଗୀଙ୍କୁ ଏତେ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆuଯାଉଛି ବୋଲି ଲୋକମାନେ ମୋତେ ଫୋନ୍ କରି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ଭାବିଥିଲୁ, କାରଣ ସେ କାମ କରିବାକୁ ଆଗ୍ରହୀ ଥିଲେ ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ହାସଲ କରିବାପରେ ଯୋଗୀଙ୍କୁ ଅଚାନକ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା।