ଉତ୍ତେଜନାପୂର୍ଣ୍ଣ ବାତାବରଣରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ

ଆରଡ଼ି,୨୭।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହ ପଞ୍ଚାୟତରେ ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ କିଛି ଯୁବକ ପ୍ରୟାସ କରୁଛନ୍ତି। ଥାନାଧିକାରୀ ପ୍ରଜ୍ଞା ମହାନ୍ତି ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବାରୁ ଉକ୍ତ ଯୁବକମାନେ ତାଙ୍କ ସହ ବଚସା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ପଞ୍ଚାୟତର ମୂଳକାଏମା ବୁଥ୍‌ରେ ଭୋଟରମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ବୁଥ୍‌ରେ ସେତେ ଭିଡ଼ ନାହିଁ। କିଛି ବୁଥ୍‌ ଉତ୍ତେଜନାମୂଳକ ଥିବାରୁ ପୋଲିସ ସେଥିପ୍ରତି କଡ଼ା ନଜର ରଖିଛି।
ସୂଚନାଯୋଗ୍ୟ, ଏହି ପଞ୍ଚାୟତରେ ସରପଞ୍ଚ ନିର୍ମଳ ଟିକାୟତ ରାୟଙ୍କ ମୃତ୍ୟୁ ହେବାରୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ବିଜେଡି ଏବଂ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଜଣାପଡ଼ିଛି।