ଉତ୍ସାହିତ କରେ ପ୍ରଶଂସକଙ୍କ ଭଲପାଇବା

ଗତବର୍ଷ ଜୁନ ମାସରେ ରାଜସ୍ଥାନରେ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା ଲଭ ଚୋଖା’ର ଶୁଟିଂ ହେଉଥାଏ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ରାଜସ୍ଥାନରେ ମୋଟ ୬ ଦିନର ଶୁଟିଂ ଦିନ ଧାର୍ଯ୍ୟ ହୋଇଥିଲା। ଭୋର ୫ଟାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଥାଏ। ଏଣୁ ଭୋର ୩ଟାରୁ ଉଠିବାକୁ ପଡ଼େ। ପ୍ରସ୍ତୁତ ହୋଇ ଗାଡ଼ିରେ ବସି ଶୁଟିଂ ଅଞ୍ଚଳକୁ ଯାଉ। ହେଲେ ସେଠାରେ ଖରା, ଗରମ ଓ ଖାଇବା ପିଇବାରେ ଯେଉଁ ଅସୁବିଧା ହୋଇଥିଲା ତାହା କେବେ ଭୁଲି ପାରିବିନି ବୋଲି ଅଭିନେତ୍ରୀ ସନମୀରା ନାଗେଶ କହିଛନ୍ତି। ପ୍ରଥମତଃ ସେଠାକାର ଖାଦ୍ୟ ଆମ ପାଇଁ ରୁଚିକର ହୋଇ ପାରି ନ ଥିଲା। ଏହାଛଡ଼ା ଦିନ ସମୟରେ ଯେଉଁ ଖରା ହୁଏ ସେଥିରେ ବାହାରକୁ ବାହାରିବା ସମ୍ଭବ ହେଉ ନ ଥାଏ। ସେଠାରେ ଥିବା ଏକ ସ୍ଥାନ ମାର୍ବଲ ଡମ୍ପିଂ ୟାର୍ଡରେ ଗୋଟିଏ ଗୀତର ଶୁଟିଂ ଥାଏ। ଖରା ଓ ମାର୍ବଲର ପ୍ରତିଫଳନ ଯୋଗୁ ଚଷମା ପିନ୍ଧାଇ ଶୁଟିଂ ଶେଷ କରାଯାଇଥିଲା। ଏହା ଥିଲା ସନମୀରାଙ୍କ ଶୁଟି ଅନୁଭୂତି। ହେଲେ ପ୍ରଶଂସକଙ୍କୁ ନେଇ ତାଙ୍କର ରହିଛି ଏକ ଅଲଗା ଅନୁଭୂତି। ଏ ସମ୍ପର୍କରେ ସେ କହିଥିଲେ ଯେ, ଜଣେ ପ୍ରଶଂସକ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ତାଙ୍କ ଆଖିରେ ଖୁସିର ଲୁହ ଝରାଇ ଦେଇଥିଲା। କାରଣ ତାଙ୍କ ନାମକୁ ସ୍ବାଗତିକା ସାହୁ ନାମ୍ନୀ ଜଣେ ଯୁବତୀ ନିଜ ହାତରେ ଟାଟୁ କରିବା ସହ ତାହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଅଳ୍ପ ଦିନର ଅଭିନୟ କ୍ୟାରିୟରରେ ତାଙ୍କୁ ଏତେ ଭଲପାଇବା ମିଳିବ ବୋଲି ସେ କେବେ ଭାବି ନ ଥିଲେ। ହେଲେ ସ୍ବାଗତିକାଙ୍କ ଭିଡିଓ ତାଙ୍କ କ୍ୟାରିୟରରେ ଆଗକୁ ନେବାକୁ ଉତ୍ସାହିତ କରିବ ବୋଲି ସନମୀରା କହିଛନ୍ତି।


ଆଲୋ ମୋର କଣ୍ଢେଇ, ଆକାଶେ କି ରଙ୍ଗ ଲାଗିଲା, ଶପଥ, ସୁନା ଚଢ଼େଇ ମୋ ରୁପା ଚଢ଼େଇ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ସନମୀରା ଓଡ଼ିଆ ସିନେଜଗତରେ ଏବେ ଜଣେ ଆଗଧାଡ଼ିର ନାୟିକା। ତେବେ ସନମୀରାଙ୍କ ନାମକୁ ନେଇ ସବୁବେଳେ ଦର୍ଶକ ତଥା ସିନେପ୍ରେମୀ ଦ୍ୱନ୍ଦ୍ୱରେ ରୁହନ୍ତି। ତାଙ୍କ ପିତାଙ୍କ ନାମ ପ୍ରକାଶ ଚନ୍ଦ୍ର ସାହୁ ଓ ମା’ଙ୍କ ନାମ ବୈଜୟନ୍ତୀ ଦାସ ହୋଇଥିବାବେଳେ ସନମୀରାଙ୍କ ସାଙ୍ଗିଆ ହେଉଛି ନାଗେଶ। ଏଣୁ ସନମୀରା ଓଡ଼ିଆ ନୁହେଁ ବୋଲି ଚର୍ଚ୍ଚା ହୁଏ। ହେଲେ ନାଗସ୍ୟ ଗୋତ୍ର ଯୋଗୁ ସେ ନାଗେଶ ସାଙ୍ଗିଆ ରଖିଛନ୍ତି ବୋଲି ଜଣାଇଛନ୍ତି। ବାରିପଦାରେ ରହୁଥିବା ସନମୀରା ଏବେ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରୀ।
-ରିପୋର୍ଟ: କୁମାରଶ୍ରୀ ସାହୁ

Share