ଉଦଳା-କରଞ୍ଜିଆରେ ମାତିଲେ ଲୁଟେରା: ୫ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା, ଅଧ୍ୟାପିକାଙ୍କ ସୁନାଚେନ୍‌ ଲୁଟ

ଉଦଳା/ଠାକୁରମଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଓ କରଞ୍ଜିଆ ଥାନା ପୋଲିସ୍‌କୁ ମଙ୍ଗଳବାର ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ସହ ଜଣେ ଅଧ୍ୟାପିକାଙ୍କ ସୁନା ଚେନ ଲୁଟି ନେଇଛନ୍ତି। ଏହି ଘଟଣା ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଉଦଳା ଥାନା ଅଧୀନ ଦୁଗୁଧା ପଞ୍ଚାୟତରେ ଭତ୍ତା ପ୍ରଦାନ କରାଯିବାର ଥିଲା। ଭିଏଲଡବ୍ଲ୍ୟୁ ପ୍ରଦ୍ୟୁମ୍ନ ନାୟକ ଉଦଳା ଆଇସିଆଇସିଆଇ ବ୍ୟାଙ୍କରୁ ୨ ଲକ୍ଷ ୮୬ ହଜାର ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖି ପଞ୍ଚାୟତ ଅଭିମୁଖେ ଯାଉଥିଲେ। ମଧ୍ୟାହ୍ନ ୧୨ ଟା ସମୟରେ ଉଦଳା-ଦୁଗୁଧା ରାସ୍ତାର କେନାଲ ନିକଟରେ ୩ ଜଣ ଦୁବୃର୍ତ୍ତ ଏକ ହୋଣ୍ଡା ସାଇନ୍‌ ଗାଡିରେ ଆସି ତାଙ୍କୁ ଅଟକାଇଥିଲେ ା ଦୁର୍ବୃତ୍ତମାନେ ପ୍ରଦ୍ୟୁମ୍ନଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଚାବି ଛଡାଇନେଇ ଡିକିରେ ଥିବା ଟଙ୍କା ସମେତ ତାଙ୍କ ମୋବାଇଲକୁ ଲୁଟି ନେଇ ସେଠାରୁ ଫେରାର ହୋଇଯାଇଥିଲେ ା ପରେ ପ୍ରଦ୍ୟୁମ୍ନ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ା
ଏହି ଲୁଟ ଘଟଣାର ମାତ୍ର ଦୁଇ ଘଣ୍ଟା ପରେ ନାଗପାଳ ଜ୍ୟୋତିନଗରରେ ରହୁଥିବା ଜଣେ ଅଧ୍ୟାପିକାଙ୍କ ବେକରୁ ଦୁଇ ଲୁଟେରା ସୁନାଚେନ୍‌ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଉଦଳା କଲେଜ ଇଂଲିଶ ବିଭାଗର ଅଧ୍ୟାପିକା ରେହେନା ସୁଲତାନ ମଧ୍ୟାହ୍ନରେ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଲୁଟେରା ଆସି ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଲୁଟ ହୋଇଥିବା ସୁନାଚେନ୍‌ଟିର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି।
ସେହିପରି କରଞ୍ଜିଆ ବ୍ଲକ ଦରୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କଠାରୁ ସାରେ ଦୁର୍ବୃତ୍ତମାନେ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। ସିଙ୍ଗଡା ଫାଣ୍ଡି ଓ ରରୁଆଁ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ବ୍ୟାଙ୍କରୁ ୪,୭୭,୨୦୦ ଟଙ୍କା ଉଠାଇ ଦରୀ ପଞ୍ଚାୟତରେ ୧ଲକ୍ଷ ୫୦ ହଜାର ଟଙ୍କା ଭତ୍ତା ବଣ୍ଟନ କରିବା ପରେ ଅବଶିଷ୍ଟ ଟଙ୍କା ବ୍ୟାଗରେ ଧରି ପିଇଓ ବାଇକ ଯୋଗେ ଫେରୁଥିଲେ। ୪୯ ନମ୍ବର ଜତୀୟ ରାଜପଥ ସିଙ୍ଗିଡା ନିକଟରେ ୨ଜଣ ଦୁବୃର୍ତ୍ତ ଏକ ନମ୍ବରବିହୀନ ବାଇକରେ ଆସି ପଛପଟୁ ତାଙ୍କ ବାଇକକୁ ଗୋଇଠା ମାରିଥିଲେ। ପିଇଓ ତଳେ ପଡିଯିବା ପରେ ଦୁବୃର୍ତ୍ତ ଦ୍ୱୟ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ତେବେ ଗୋଟିଏ ଦିନରେ ଜିଲାର ୩ଟି ସ୍ଥାନରୁ ଲୁଟ୍‌ ହେବା ଏବଂ ଲୁଟେରାମାନେ ପୋଲିସ୍‌କୁ ଚକମା ଦେଇ ଖସିଯିବା ସ୍ଥାନୀୟ ପୋଲିସ୍‌ର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।