ଉଦାହରଣ ସାଜିଛନ୍ତି ମହେଶ୍ୱର

ବନ୍ତ, ୨୭।୧୨(ସ୍ବ.ପ୍ର.) – ବର୍ତ୍ତମାନ ଦେଶରେ ନିଯୁକ୍ତି ଅଭାବରୁ ବେକାର ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସମାଜରେ ଶାରୀରିକ ସୁସ୍ଥ ଶିକ୍ଷିତ ଯୁବକମାନେ ବେକାର ହୋଇ ବୁଲୁଥିବାବେଳେ ଜଣେ ଦିବ୍ୟାଙ୍ଗ ଯୁବକ ନିଜେ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ। ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ନିଜକୁ ସ୍ବାବଲମ୍ବୀ କରି ଯୁବ ସମାଜ ପାଇଁ କେବଳ ଉଦାହରଣ ନୁହେଁ ପ୍ରେରଣା ପାଲଟିଛନ୍ତି। ନିଜ ଗଁା ଛକରେ ଏକ ସାଇକେଲ ମରାମତି ଦୋକାନ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି ମହେଶ୍ୱର ରାଉତ(୩୦)। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ଅଧୀନ ଧାନଘର ଗ୍ରାମରେ। ଏହି ସାଇକେଲ ଦୋକାନ କରି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି।
ମହେଶ୍ୱର କହନ୍ତି, ଜନ୍ମରୁ ତାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ। ପରିବାରର ଅଭାବ ଅନଟନ ସତ୍ତ୍ୱେ ତାଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ଥିଲା। ୭ମ ଶ୍ରେଣୀରେ ପଢୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇସାଇକେଲ ମିଳିଥିଲା। ସେହି ଟ୍ରାଇସାଇକେଲ ସାହାଯ୍ୟରେ ଘରଠାରୁ ୩ କି.ମି. ଦୂର ଆଡ଼ିଆ ଉଚ୍ଚ ବିଦ୍ୟାଳୟକୁ ଯିବାଆସିବା କରି ପାଠ ପଢୁଥିଲେ। ୨୦୦୨ରେ ଉଚ୍ଚ ରକ୍ତ ଚାପରେ ତାଙ୍କ ବାପା ଭଗବାନଙ୍କର ଅକାଳ ମୃତ୍ୟୁ ଘଟିଥିଲା। ବାପାଙ୍କ ଦେହାନ୍ତ ପରେ ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଲା। ଏପରିସ୍ଥଳେ ୨୦୦୪ରେ ସେ ମାଟ୍ରିକ୍‌ରେ ଫେଲ୍‌ ହୋଇଗଲେ। ଅର୍ଥାଭାବ ଯୋଗୁ ପୁଣିଥରେ ପଢ଼ି ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆଉ ମନ ବଳାଇ ନ ଥିଲେ। ମା’, ଦୁଇଭାଇ ଓ ଦୁଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ଜମିବାଡ଼ି ମଧ୍ୟ ସେଭଳି ନାହିଁ।
ବଡ଼ଭାଇ ପରଘରେ ମୂଲ ଲାଗି ଯାହା ଟଙ୍କା ମିଳେ ସେଥିରେ ପରିବାର ଚଳିବା କଷ୍ଟ। ଘରର ପରିସ୍ଥିତି ସୁଧାରିବା ପାଇଁ ନିଜେ କିଛି କରିବା ଲାଗି ଯୋଜନା କରିଥିଲେ। କିନ୍ତୁ ମାଟ୍ରିକ୍‌ ଫେଲ୍‌ ଯୋଗୁ କୌଣସି ଚାକିରିର ସୁଯୋଗ ନ ଥିବାରୁ ଶେଷରେ ବନ୍ତ-ଆଗରପଡ଼ା ରାସ୍ତାର ନୂଆପୋଖରୀ ଛକଠାରେ ଏକ ସାଇକେଲ୍‌ ମରାମତି ଦୋକାନ ଆରମ୍ଭ କରିଥିଲେ। ସେବେଠାରୁ ସେହି ଦୋକାନ ହିଁ ତାଙ୍କ ପରିବାରକୁ ଦାନା ଯୋଗାଉଛି। ପ୍ରତ୍ୟହ ଦୋକାନରୁ ୩୦୦ରୁ ୪୦୦ ଟଙ୍କା ରୋଜଗାର ହୁଏ। ବହୁ କଷ୍ଟରେ ଗୋଟିଏ ଭଉଣୀଙ୍କ ବିବାହ ସାରି ଦେଇଛନ୍ତି। ହେଲେ ସମ୍ପ୍ରତି ଏତିକି ଟଙ୍କାରେ ଅନ୍ୟାନ୍ୟ କାମ ସହ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏଥିସହ ଟଙ୍କା ଅଭାବରୁ ଦୋକାନରେ ସାଇକେଲ ପାର୍ଟସ୍‌ ମଧ୍ୟ ରଖିପାରୁ ନାହାନ୍ତି। କୌଣସି ବ୍ୟାଙ୍କ ଋଣ ମିଳିଲେ ତାଙ୍କ ରୋଜଗାର ବଢ଼ିବା ସହ ପରିବାରର ଆର୍ଥିକ ସ୍ଥିତି ସୁଧୁରି ପାରନ୍ତା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।