ଉଦାହରଣ ସାଜିଛନ୍ତି ସୁଲୋଚନା

ଖଇରା,୯।୧୨(ଡି.ଏନ.ଏ.)- ରାତି ନପାହୁଣୁ ଘର କାମ ସାରିଦେଇ ବାହାରିଯାଆନ୍ତି କର୍ମକ୍ଷେତ୍ରକୁ । ପୋଖରୀରେ ମାଛଙ୍କୁ ଖାଦ୍ୟ ଦେଇସାରି ପରିବା ଲଗାଇଥିବା ବାଡିକୁ ଯାଇ ଗଛରେ ପାଣି ଦେବା ସହ ପରିବା ତୋଳି ଥାଆନ୍ତି । ଅନ୍ୟ ଲୋକେ ବଜାରରେ ପରିବା ଓ ମାଛ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହୁ ଥିବାବେଳେ ତାଙ୍କର ଏ ସବୁରେ ବ୍ୟସ୍ତତା ନଥାଏ । ନିଜ ଉପରେ ଭରସା ରଖି ମାଛ ଓ ପରିବା ଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିଥିବା ଏହି ମହିଳା ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗରସଙ୍ଗ ଗ୍ରାମର ସୁଲୋଚନା ରାଉତ ।
୨୦୦୨ରେ ତାଙ୍କର ବିବାହ ଅଜୟ ବେହେରାଙ୍କ ସହ ହୋଇଥିଲା । ୧୦ବର୍ଷ ତଳେ ପରିବାର ଭାଗ ହୋଇଯିବାରୁ ସ୍ବାମୀ ଅଭୟ ଓ ପତ୍ନୀ ସୁଲୋଚନାଙ୍କ ଚିନ୍ତା ବଢିଥିଲା। ୨ଝିଅକୁ ପାଠ ପଢ଼ାଇ ମଣିଷ କରି ଅଣ୍ଟାସଳଖି ଚାଲିବା ଲାଗି ସୁଲୋଚନା ଅଭୟଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଧାନଚାଷରୁ ବିଶେଷ ଲାଭ ମିଳୁ ନ ଥିବାରୁ ସେ ପ୍ରଥମେ କିଛି ଜମିକୁ ବାଡ଼ ଘେରା କରି ପରିବା ଚାଷ ଆରମ୍ଭ କରିଥିଲେ ା ଏଥିରୁ ଘର ଖର୍ଚ୍ଚ ଚଳିବା ସହ ପିଲାଙ୍କ ପାଠପଢ଼ା ପାଇଁ କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ ହୋଇ ପାରିଥିଲା ା ଏବେ ୨ବର୍ଷ ତଳେ ତାଙ୍କ ପଞ୍ଚାୟତକୁ ୱାଲ୍ଡଫିସ ନାମକ ସଂଗଠନ ମାଛ ଚାଷର ଜ୍ଞାନ କୌଶଳ ବତାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ୟମ କଲା ବେଳେ ଏହି ମୌକାକୁ ହାତଛଡ଼ା କରି ନ ଥିଲେ ସୁଲୋଚନା ା ନିଜେ ବାଡିରେ ଥିବା ୨ଟି ଦଳଭର୍ତ୍ତି ପୋଖରୀକୁ ସେ ପରିଷ୍କାର କରାଇ ମୌରାଳି ଓ ପହଣା ଚାଷ ଆରମ୍ଭ କରିଥିଲେ। ପ୍ରଥମ ବର୍ଷର ସଫଳତା ତାଙ୍କୁ ଉତ୍ସାହିତ କରିଥିଲା। ବର୍ଷସାରା ଘର ଖାଇବାକୁ ଛାଡି ସେ ୧୮ହଜାର ଟଙ୍କାର ଚୂନା ଓ ବଡ଼ ପହଣା ବିକ୍ରି କରିଥିଲେ ା ଏହି ସମୟ ମଧ୍ୟରେ ଉନ୍ନତ ପ୍ରଣାଳୀର ମାଛ ଚାଷର ସମସ୍ତ କୌଶଳ ଶିଖି ଅଞ୍ଚଳରେ ସେ ଚର୍ଚ୍ଚାକୁ ଆସିବା ସହ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ଏପରି କି ସୁଲୋଚନା ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜେ ଜାଲ ପକାଇ ମାଛ ଧରିବା କୌଶଳ ଶିଖି ସାରିଛନ୍ତି। ା ଉଭୟ ମାଛ ଓ ପରିବା ଚାଷ ଯୋଗୁ ତାଙ୍କୁ ବର୍ତ୍ତମାନର ମହଙ୍ଗା ବଜାର ଲାଗି ବ୍ୟସ୍ତ ହେବାକୁ ପଡୁନାହିଁ ା ସ୍ଥାନୀୟ ସରପଞ୍ଚ ସସ୍ମିତା ପଟ୍ଟନାୟକ ଓ ତାଙ୍କ ସ୍ବାମୀ ରାଜେନ୍ଦ୍ର ଦାସ ତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ୱାଲ୍ଡଫିସ ସଂଗଠନ ଅଧିକାରୀ ଉଚିତ ପରାମର୍ଶ ଦେଇଥିବାରୁ ସୁଲୋଚନା ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ା ସରକାରଙ୍କ ଠାରୁ ପ୍ରୋତ୍ସାହନ ମିଳିଲେ ସେ ପୋଖରୀକୁ ଆଉ ଟିକିଏ ବଡକରି ଅଧିକ ମାଛ ଚାଷ କରି ପରିବାରର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିପାରନ୍ତେ ବୋଲି କହିଛନ୍ତି ା