Categories: ବାଣିଜ୍ୟ

ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ

ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା ରାଶି ଉପରେ ଟିକସ ଦେବେ। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ପତ୍ର ଲେଖି ସିଓଲ ଶାନ୍ତି ପୁରସ୍କାର ବାବଦରେ ମିଳିଥିବା ଅର୍ଥକୁ ଟିକସ ପରିସରଭୁକ୍ତ କରିବାକୁ ଅନୁରୋଧ କରିବା ସହ ଆବଶ୍ୟକ ଟିକସ ଆଦାୟ ଲାଗି କହିଥିଲେ। ଦେଶର ସାଧାରଣ ନାଗରିକଙ୍କ ଭଳି ଟିକସ ଦେବାକୁ ସେ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ସୂଚନାଥାଉ କି, ଚଳିତବର୍ଷ ଫେବୃୟାରୀରେ ୨୦୧୮ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ଚଳିତବର୍ଷ ମାର୍ଚ୍ଚ ୬ରେ ଆୟକର ଧାରା ୧୦(୧୭ଏ(୧)) ଅଧୀନରେ ଏହି ରାଶିକୁ ଟିକସମୁକ୍ତ ଘୋଷଣା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଆୟକର ଛାଡ଼କୁ ଗ୍ରହଣ କରିନାହାନ୍ତି। ମୋଦି ଅଗଷ୍ଟ ୧୧ରେ ପତ୍ର ଲେଖି ଶାନ୍ତି ପୁରସ୍କାର ସ୍ବରୂପ ମିଳିଥିବା ଅର୍ଥରୁ ଟିକସ ଆଦାୟ ଲାଗି ପୁନଃବିଚାର କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ସେ ତାଙ୍କ ପତ୍ରରେ ଦର୍ଶାଇଥିଲେ ଯେ, ଲୋକ ସଭା ନିର୍ବାଚନ ତଥା ବହୁ ବ୍ୟସ୍ତତା କାରଣରୁ ସେ ଟିକସ ଛାଡ଼ ପ୍ରତ୍ୟାହାର କରିବା ଲାଗି ଜଣାଇପାରି ନ ଥିଲେ। ବର୍ତ୍ତମାନ ଉପହାର ସ୍ବରୂପ ମିଳିଥିବା ଟଙ୍କାକୁ ଆୟକର ପରିସରଭୁକ୍ତ କରିବା ଉଚିତ୍‌ ହେବ ବୋଲି ସେ ପତ୍ରରେ ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ସିବିଡିଟି ଗତ ୧୪ ତାରିଖରେ ଟିକସ ଛାଡ଼ ପ୍ରତ୍ୟାହାର କରିନେଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଟଙ୍କା ଉପରେ ଆୟକର ଆଇନ, ୧୯୬୧ ଅଧୀନରେ ଟିକସ ଆଦାୟ କରାଯିବ।

Share