Categories: ଜାତୀୟ

ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଆହ୍ବାନଟି ହେଉଛି ନିଜ ଘର ସମ୍ଭାଳିବା ଦାୟିତ୍ୱ। ଯଦି ୩ ଦଳିଆ ମେଣ୍ଟରେ କୌଣସି କାରଣରୁ ଫାଟ ଦେଖାଦେବ। ତେବେ ସରକାରଙ୍କ ଆଗରେ ବଡ଼ ସମସ୍ୟା ସୃଷ୍ଟି ହେବ। ଏହାଦ୍ୱାରା ମହାରାଷ୍ଟ୍ରରେ କର୍ନାଟକର ପୁନରାବୃତ୍ତି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ସେହିପରି ଦ୍ୱିତୀୟ ସମସ୍ୟା ହେଉଛି ଭିନ୍ନ ଭିନ୍ନ ଚିନ୍ତାଧାରା ରଖୁଥିବା ଦଳମଧ୍ୟରେ ସମନ୍ବୟ ରଖିବା। ଏହା ସରକାର ତଥା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ଆହ୍ବାନ ହେଉଛି ମେଣ୍ଟ ସରକାର ପରବର୍ତ୍ତୀ ନିର୍ବାଚନରେ କିଭଳି ଆସନ ଭାଗବଣ୍ଟା ଫର୍ମୂଲା ଗ୍ରହଣ କରିବ। ଏହା ଉପରେ ୩ ଦଳର ରାଜନୈତିକ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଅପରପକ୍ଷରେ ସରକାର ଚଳାଇବା ଚତୁର୍ଥ ଆହ୍ବାନ ଭାବେ ଉଦ୍ଧବଙ୍କ ସମ୍ମୁଖରେ ରହିବ। କେଉଁ ପ୍ରକାର କମନ୍‌ ମିନିମମ୍‌ ପ୍ରୋଗ୍ରାମ୍‌କୁ ମେଣ୍ଟରେ ଗ୍ରହଣ କରାଯିବ ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମେଣ୍ଟ ସଦସ୍ୟଙ୍କ ଅହଂ ଭାବ ପଞ୍ଚମ ସମସ୍ୟା ଭାବେ ଉଦ୍ଧବଙ୍କ ଆଗରେ ଉଭା ହେବାର ଆଶଙ୍କା ବି ରହିଛି। ମେଣ୍ଟରେ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ପୃଥ୍ବୀରାଜ ଚୌହ୍ବାନ, ଅଶୋକ ଚୌହ୍ବାନ, ଏନ୍‌ସିପିର ଶରଦ ପାଓ୍ବାର ଆଦି ବରିଷ୍ଠ ସଦସ୍ୟ ରହିଛନ୍ତି। ବରିଷ୍ଠ ନେତାଙ୍କ ଚିନ୍ତାଧାରା ସହିତ ଉଦ୍ଧବଙ୍କ ଚିନ୍ତାଧାରା ମଧ୍ୟରେ ତାଳମେଳ ରହିବା ଏକାନ୍ତ ଜରୁରୀ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share