ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ସୋନୁଙ୍କୁ ନେଇ ରାଜନୀତି ଆରମ୍ଭ କରିଦେଇଥିଲା ଶିବସେନା। ଶିବସେନା ନେତା ସଞ୍ଜୟ ରାଓ୍ବତ ଅଭିନେତା ସୋନୁ ସୁଦଙ୍କୁ ଭାଜପାର ମୋହରା ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢିବାରୁ ଅନ୍ୟ ଦଳୀୟ ନେତା ସୋନୁଙ୍କୁ ପ୍ରଶଂସା କରିଛନ୍ତି। ଏହାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନ ମାତୋଶ୍ରୀରେ ଭେଟିଛନ୍ତି ସୋନୁ ସୁଦ। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନେ ଘରେ ନ ପହଞ୍ଚିବେ, ସେ ପର୍ଯ୍ୟନ୍ତ ସହାୟତା କରି ଚାଲିବି। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ରାଜନୈତିକ ଦଳ ମୋତେ ସମର୍ଥନ ଦେଇଆସିଛନ୍ତି, ସେମାନଙ୍କୁ ମୋର ଧନ୍ୟବାଦ ବୋଲି ସୋନୁ କହିଛନ୍ତି। ଠାକରେଙ୍କୁ ଭେଟିବା ବେଳେ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ସେ ମଧ୍ୟ ସୋନୁଙ୍କୁ ପ୍ରଶଂସା କରିଥିଲେ।