Categories: ଜାତୀୟ

ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍‌

ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ ମେଣ୍ଟ ସରକାର ଉପରେ ବର୍ଷିଛି। ଶିବସେନା ରାହୁଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛି। ସଭରକରଙ୍କୁ ନେଇ କୌଣସି ପ୍ରକାର ସାଲିସ କରିବନି ବୋଲି କଂଗ୍ରେସକୁ ଚେତାଇ ଦେଇଛି ଶିବସେନା ନେତା ସଞ୍ଜୟ ରାଓ୍ବତ। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ। ଏସବୁ ଭିତରେ ଉଦ୍ଧବଙ୍କ ଚା’ ପାର୍ଟିକୁ ଯିବାକୁ ମନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ। ସେ କହିଛନ୍ତି, ଯେଉଁମାନେ ସଭରକରଙ୍କ ଅପମାନ କରିଛନ୍ତି ସେମାନଙ୍କ ସହ ଚା’ ପିଇବି ନାହିଁ। ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ଚା’ ପାର୍ଟିର ଆୟୋଜନ କରିଛନ୍ତି। ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାର ବେଳେ ରାହୁଲ ଗାନ୍ଧୀ ‘ରେପ ଇନ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ। ଶୁକ୍ରବାର ଶୀତକାଳୀନ ଅଧିବେଶନର ଅନ୍ତିମ ଦିନରେ ଶାସକ ଦଳ ଭାଜପା ଏହାକୁ ପ୍ରସଙ୍ଗ କରି ରାହୁଲଙ୍କ କ୍ଷମା ମାଗିବାକୁ ଦାବି କରିଥିଲା। ଏହାର ପରଦିନ ଶନିବାର କଂଗ୍ରେସ ଦିଲ୍ଲୀରେ ଭାରତ ବଞ୍ଚାଅ ର଼୍ୟାଲି କରିଥିଲା। ରାମଲୀଳା ମଇଦାନରେ ଆୟୋଜିତ ଏହି ର଼୍ୟାଲିରେ ରାହୁଲ ଗାନ୍ଧୀ କହିଥିଲେ ‘ମୁଁ ରାହୁଲ ସଭରକର ନୁହେଁ ରାହୁଲ ଗାନ୍ଧି, ମରିଯିବି ପଛେ କ୍ଷମା ମାଗିବିନି’। ଏହାପରେ ଶିବସେନା ସମେତ ଭାଜପା ରାହୁଲଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି।

Share