Categories: ଜାତୀୟ

ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ ପାଓ୍ବାର ଇସ୍ତଫା ଦେବା ପରେ ସମସ୍ତଙ୍କ ନଜର ରହିଥିଲା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଉପରେ। ସେ ଆଉ କାଳ ବିଳମ୍ବ ନ କରି ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ସେ ନୂଆ ସରକାରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହାପରେ ସରକାର ଗଢିବାକୁ ଅନାଇ ବସିଥିବା ଶିବସେନା ନେତା ସଞ୍ଜୟ ରାଉତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫ ବର୍ଷ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଉଦ୍ଧବଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏବେ ଆମର ବୋଲି କହିଛନ୍ତି ସଞ୍ଜୟ। ପୂର୍ବରୁ ସଂଖ୍ୟା ଗରିଷ୍ଠତା ଥିବା ଦର୍ଶାଇ ଏବେ ସରକାର ଗଢିବାକୁ ଶିବସେନା ଆଗେଇ ଆସିବ ବୋଲି କୁହାଯାଉଛି। ହେଲେ ୩ ଚକ ବିଶିଷ୍ଟ(ଶିବସେନା, ଏନ୍‌ସିପି, କଂଗ୍ରେସ) ସରକାର ସ୍ଥିର ସରକାର ହେବ ନାହିଁ ବୋଲି ଫଡ୍‌ନବିସ କହିଛନ୍ତି। ଆଉ ସେ ନୂଆ ସରକାରଙ୍କୁ କାମ ଶିଖାଇବେ ବୋଲି ମଧ୍ୟ କହିଛନ୍ତି।

Share