Categories: ଜାତୀୟ

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ ନେଇ ଶୁକ୍ରବାର ୩ ଦଳ ମିଶି ଏକ ବୈଠକର ଆୟୋଜନ କରିଥିଲେ। ଏହି ବୈଠକ ଚାଲିଥିବା ବେଳେ ବିଶେଷ ସୂରୁ ମିଳିଥିବା ସୂଚନା ଅନୁଯାୟୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିପାରନ୍ତି। ଆଉ ପ୍ରକୃତ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ଶିକ୍ଷା ବିଭାଗ ମିଳିପାରେ ବୋଲି ଆଲୋଚନା ହେଉଛି। ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗିବା କାରଣରୁ ଏବେ ଏନ୍‌ସିପି ଓ କଂଗ୍ରେସକୁ ନେଇ ଶିବସେନା ଯେଉଁ ମେଣ୍ଟ ସରକାର ଗଠନ କରିବ ସେଥିରେ ମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ବିଚାର ବିମର୍ଷ। ତେଣୁ ପୂର୍ବରୁ ଯାହା ଶୁଣାଯାଉଥିଲା କି ଶିବସେନା ପ୍ରାର୍ଥୀ ଆଦିତ୍ୟ ମୁଖ୍ୟମନ୍ତ୍ରୀ ହେବେ ଏବେ କିନ୍ତୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଆଲୋଚନା ଯୋର ଧରିଲାଣି। ସୂଚନାଯୋଗ୍ୟ, ଠାକରେ ପରିବାରର ପ୍ରଥମ ସଦସ୍ୟଭାବେ ଆଦିତ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଶିବସେନା କର୍ମୀ ଦାବି କରିଥିଲେ।

Share