ଉଦ୍‌ଘାଟନର ୫ ମାସ ପରେ ଅଲୋଡ଼ା:ଅରିଲ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା

ବାରଙ୍ଗ,୨୯ା୬(ଡି.ଏନ୍‌.ଏ.): ରାମଦାସପୁର ଅରିଲଠାରେ ଚଳିତବର୍ଷ ପ୍ରଥମକରି ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଉଦ୍‌ଘାଟନକୁ ୫ମାସ ବିତିଯାଇଥିଲେ ମଧ୍ୟ ଖୋଲି ପାରିନାହିଁ। ଫଳରେ ପିଲାମାନେ ଏହି ବିଦ୍ୟାଳୟରେ ନାମ ଲେଖାଇ ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି।
ପ୍ରକାଶ ଯେ, ଅରିଲଠାରେ ୩ଏକର ୪୨ଡିସିମିଲ ପରିମିତ ଜାଗାରେ ଟାଟା କମ୍ପାନୀ ଦ୍ୱାରା ୧୨କୋଟି ୬୪ଲକ୍ଷ ଟଙ୍କା ବ୍ୟୟବରାଦରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟ ଦ୍ୱାରା ବାରଙ୍ଗ ବ୍ଲକର ୩୧ ଓ ୩୩ନଂ. ଜିଲାପରିଷଦ ଜୋନ ଅଧୀନରେ ଥିବା ୧୬ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ୨୮ଜାନୁୟାରୀ ୨୦୧୯ରେ ଏହାକୁ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ନବନିର୍ମାଣ ଗୃହକୁ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇ ନ ଥିବା ଜଣାପଡିଛି। ନବନିର୍ମାଣ ଏହି ଶ୍ରେଣୀଗୃହକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାବେଳେ ରାସ୍ତା, ଖେଳପଡିଆ ଓ ଆନୁଶଙ୍ଗିକ ବ୍ୟବସ୍ଥା ବାକି ରହିଛି। ଚଳିତବର୍ଷ ଏହି ଆଦର୍ଶ ବିଦ୍ୟାଳୟରେ ପ୍ରଥମକରି ପାଠପଢା ଆରମ୍ଭ ହେଉଥିବାବେଳେ ୮୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ସେଥିମଧ୍ୟରେ ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ସ୍ବୀକୃତିରେ ୨ ଛାତ୍ର ନାମ ଲେଖାଇଛନ୍ତି। ୨୯ଜଣ ଛାତ୍ର ହୋଇଥିବାବେଳେ ଛାତ୍ରୀ ସଂଖ୍ୟା ୫୪ଜଣ ରହିଛି। ଉଦ୍‌ଘାଟନ ହେବାର ୫ ମାସ ବତିଯାଇଥିଲେ ମଧ୍ୟ ୮୩ଜଣ ଛାତ୍ରୀଛାତ୍ର ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ସିବିଏସଇ ଢାଞ୍ଚାରେ ପାଠ ପଢାଇବା ପାଇଁ ଯୋଗ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇନାହିଁ। ଫଳରେ ଡେପୁଟେଶନରେ ୪ଜଣ ଶିକ୍ଷକଙ୍କୁ ଏହି ବିଭାଗ ପକ୍ଷରୁ ପିଲାମାନଙ୍କୁ ପଢାଇବା ପାଇଁ ନିର୍ଦ୍ଦେଶ ରହିଛି ା ଏ ସମ୍ପର୍କରେ ବାରଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କୁହନ୍ତି, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ମୁଁ ରହିଛି ା ଅଦ୍ୟାବଧି ନବନିର୍ମାଣ ଆଦର୍ଶ ବିଦ୍ୟାଳୟ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ସେଠାରେ ନ ପଢାଯାଇ ନିକଟସ୍ଥ ଗୋଡିସାହିରେ ପଢାଯାଉଛି। ଆରମ୍ଭରୁ ଏଠାରେ ରେସିଡେଣ୍ଟାଲର ସୁବିଧା ନାହିଁ ବୋଲି କୁହାଯାଇଛି। ଭବିଷ୍ୟତରେ ସରକାର ନିଷ୍ପତ୍ତିି ନେବେ। କିନ୍ତୁ ପିଲାମାନଙ୍କ ପାଠପଢା ପାଇଁ ନିକଟସ୍ଥ ବିଦ୍ୟାଳୟରେ ବିଜ୍ଞାନ ଓ କଳାର ୪ଜଣ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବା ସହ ସ୍ଥାୟୀ ଶିକ୍ଷକ ଆସିଲେ ସେମାନେ ସେମାନଙ୍କ ଢାଞ୍ଚାରେ ପାଠ ପଢାଇବେ ବୋଲି କହିଥିଲେ।

Share