ସୋନପୁର,୨୦।୫(ନି.ପ୍ର.) ପ୍ରକଳ୍ପ ଉଦ୍ଘାଟନ ହୋଇଛି, କିନ୍ତୁ ତାଲା ଝୁଲୁଛି। ୯ମାସ ପରେ ବି କାର୍ଯ୍ୟକ୍ଷମ ହେଉନି। ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଦେଢକୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଜିଲା ସଂସ୍କୃତି ଭବନ ଏବେ ଭୂତକୋଠିରେ ପରିଣତ ହେଲାଣି। ଗତ ଜୁଲାଇ ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏହା ବ୍ୟବହାର ନ ହୋଇ ପଡି ରହିଛି। ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ବି ପ୍ରଶାସନ ପକ୍ଷରୁ କରାଯାଇନି। କୋଠାର ମୂଲ୍ୟବାନ ଉପକରଣ ସାମଗ୍ରୀ ଚୋରି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏହି ସୁଯୋଗରେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।
ସାଂସ୍କୃତିକ ପ୍ରାଣକେନ୍ଦ୍ର ସୁବର୍ଣ୍ଣପୁରର କଳା, ସଂସ୍କୃତିର ପ୍ରଚାର ପ୍ରସାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହିତ ସହରବାସୀଙ୍କୁ ଅତ୍ୟାଧୁନିକ ପାଠାଗାରର ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟଥିଲା। ୨୦୦୭-୦୮ ମସିହାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କେନ୍ଦ୍ରୀୟ ଅନୁଦାନ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି(ବିଆରଜିଏଫ) ଓ ଆଇଏପି ଯୋଜନାରେ ପ୍ରଶାସନ ଏହି ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ପରେ ସଂସ୍କୃତି ବିଭାଗ ପକ୍ଷରୁ ଅନୁଦାନ ଓ ଆଇଏପିର ସୁଧ ଅର୍ଥରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି କାମ ପାଇଁ ଟେଣ୍ଡର ଆହ୍ବାନ ହୋଇନି। ଦୀର୍ଘ ୧୨ବର୍ଷ ଧରି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଏହି କାର୍ଯ୍ୟ ଚାଲିଥିଲା। ଯାହାକି ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ବେଶ୍ ସୁହାଇ ଥିଲା। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବା ପରେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। କଳାକାରଙ୍କ ପ୍ରତ୍ସୋହନ କାର୍ଯ୍ୟରେ ଏହା ଲାଗି ପାରୁନି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସଂସ୍କୃତିପ୍ରେମୀଙ୍କ ପକ୍ଷରୁ ଦାବି ହେଉଛି ।