Categories: ଖେଳ

ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ବିଜୟୀ

କୋଚି, ୨୧ା୧୦- ଇଣ୍ଡିଆନ ସୁପର ଲିଗ୍‌ ୨୦୧୯-୨୦ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ରନର୍ସ ଅପ୍‌ କେରଳ ବ୍ଲାଷ୍ଟର୍ସ ବିଜୟ ଲାଭ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଦଳ ଦୁଇଥର ଚାମ୍ପିୟନ ଏଟିକେକୁ ୨-୧ ଗୋଲରେ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍‌ରେ ଏଟିକେ ତରଫରୁ କାର୍ଲ ମ୍ୟାକ୍‌ ହ୍ୟୁଗ୍‌ଗୋଲ୍‌ ଓପନ କରିଥିଲେ। ହେଲେ ୩୦ତମ ମିନିଟ୍‌ରେ ବାର୍ଥୋଲୋମ୍ୟୁ ଓଜ୍‌ବେଚେଙ୍କ ପେନାଲ୍‌ଟି ଗୋଲ ସହାୟତାରେ କେରଳ ବ୍ଲାଷ୍ଟର୍ସ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷଭାଗରେ ଅର୍ଥାତ ୪୫ତମ ମିନିଟ୍‌ରେ ଓଜ୍‌ବେଚେ ଆଉ ଏକ ଗୋଲ ସ୍କୋର କରି ତାଙ୍କ ଦଳକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଏଟିକେ ଏକାଧିକ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ଫଳରେ କେରଳ ବିଜୟୀ ହୋଇଥିଲା। ଇଣ୍ଡିଆନ ସୁପର ଲିଗ୍‌ ଏଣିକି ଦେଶର ଟପ୍‌ ଡିଭିଜନ ଲିଗ୍‌ର ମାନ୍ୟତା ଲାଭ କରିଛି। ଫଳରେ ଲିଗ୍‌ ପର୍ଯ୍ୟାୟ ଟେବୁଲ ଟପର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ପ୍ଲେ-ଅଫ୍‌ ଖେଳିବା ସୁଯୋଗ ପାଇବ। ସୂଚନା ଯୋଗ୍ୟ, ୨୦୧୪ରେ ଆଇଏସଏଲର ପ୍ରଥମ ସଂସ୍କରଣରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରି ଏଟିକେ ଉଦ୍‌ଘାଟନୀ ଟାଇଟଲ ଜିତିଥିଲା। ଉଦ୍‌ଘାଟନୀ ଉତ୍ସବରେ ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନିଙ୍କ ନୃତ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା।

Share