ଉଦ୍‌ଘାଟନ ପରଠାରୁ ପ୍ରକଳ୍ପ ଅଚଳ: ଗଣା ଚାଲିଛି ବିଦ୍ୟୁତ୍‌ ବିଲ୍‌

ଭଦ୍ରକ ଅଫିସ, ୨୦।୮- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଓଲଙ୍ଗ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ପରଠାରୁ ବନ୍ଦ ରହିଛି। ଉକ୍ତ ପ୍ରକଳ୍ପ ଉଦ୍‌ଘାଟନର ମାତ୍ର ୧୦ ଦିନ ମଧ୍ୟରେ ଅଚଳ ହୋଇପଡ଼ିଥିଲା। ସେବେଠାରୁ ତାହା ଅକାମୀ ହୋଇ ରହିଛି। କାମରେ ଆସୁନି। ହେଲେ ଏହି ପ୍ରକଳ୍ପ ପାଇଁ ପ୍ରତିବର୍ଷ ବିଦ୍ୟୁତ ଦେୟ ପଞ୍ଚାୟତ ପାଣ୍ଠିରୁ ଗଣା ଚାଲିଥିବା ସୂଚନା ମିଳିଛି।
୨୦୧୧ରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟବରାଦରେ ଏଠାରେ ୪୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍‌ ଟାଙ୍କି କରାଯାଇ ଗାଁକୁ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କୌଣସି ଘରକୁ ପାଇପ୍‌ କନେକ୍ସନ ଦିଆଯାଇ ନ ଥିଲା। କିନ୍ତୁ ଗାଁରେ ୩୯ଟି ଷ୍ଟାଣ୍ଡପୋଷ୍ଟ କରାଯାଇଥିଲା। ୨୦୧୧ ଅକ୍ଟୋବର ୫ ରେ ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ତତ୍କାଳୀନ ଜିଲାପାଳ ଅକ୍ଷୟ ପାଣି ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ନିମ୍ନମାନର କାମ ଯୋଗୁ ଗାଁରେ ବିଛାଯାଇଥିବା ପାଇପଗୁଡ଼ିକ ଫାଟି ଯାଇଥିଲା। ସେବେଠାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା କୁହାଯାଇଛି। ଗ୍ରାମବାସୀ ଏ ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ଉମେଶ ମଲ୍ଲିକଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନାହିଁ, ତଥାପି ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ କହି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

Share