ଉପନିର୍ବାଚନ ପୂର୍ବରୁ ରକ୍ତମୁଖା ସାଜିଛି ଶାସକ ବିଜେଡି: ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କରୁଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଭାଜପା ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ କରି ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରିଛି ଦଳ । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ୨୦୧୮ ଉପନିର୍ବାଚନରେ ଅନୁରୂପଭାବେ ଗୁଳିମାଡ କରାଯାଇଥିଲା ।

ଶାସକ ବିଜେଡି ବିିରୋଧୀଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ଏପରି ଆକ୍ରମଣ କରାଯାଇଛି। ସେହିଭଳି ଶାସକ ଦଳ ନିର୍ଦ୍ଦେଶରେ ପୋଲିସ କାମ କରୁଥିବାରୁ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ବିଜେପୁରରେ ଭୟର ବାତାବରଣ ସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ ଏହି ଉପନିର୍ବାଚନକୁ ମୁକ୍ତ ଅବାଧ ଏବଂ ନିରପେକ୍ଷ କରାଯାଉ ବୋଲି ସମୀର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share