ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୧୦୪ ଥିବାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ତେବେ ୧୫ ଆସନରେ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଧାୟକ ସଂଖ୍ୟା ୨୨୨କୁ ବୃଦ୍ଧି ପାଇବ। ଏହା ସହିତ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୧୨ରେ ପହଞ୍ଚିବ। ଏପରିସ୍ଥଳେ ୟେଦୁରପ୍ପା ସରକାରଙ୍କୁ ତିଷ୍ଠି ରହିବା ଲାଗି ଆଉ ୬ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ। ଏବେ କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ୍ ନିକଟରେ ୩୪ ବିଧାୟକ ରହିଛନ୍ତି। ପୂର୍ବରୁ ଏସବୁ ଆସନରେ କଂଗ୍ରେସ ଏବଂ ଜେଡିଏସ୍ ବିଧାୟକ ବିଜୟ ଲାଭ କରିଥିଲେ। ଏବେ ଯଦି ଭାଜପା ପକ୍ଷରୁ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଏ ତେବେ ୟେଦୁରପ୍ପା ସରକାରଙ୍କ ଆଗରେ ଦେଖାଦେଇଥିବା ସମସ୍ୟା ସୁଧୁରିଯିବ। ଅନ୍ୟଥା ପୁଣି ରାଜ୍ୟ ରାଜନୀତିରେ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା କୁହାଯାଉଛି।