ଉପବାଚସ୍ପତି ପ୍ରସ୍ତାବ ଆସିଲେ ବିଚାର କରାଯିବ: ପିନାକୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ସେ କହିଛନ୍ତି, ଏବେ ଉପବାଚସ୍ପତି ନିର୍ବାଚନ ପ୍ରସଙ୍ଗ ଉଠିନାହିଁ। ବାଚସ୍ପତି ନିର୍ବାଚନ ସରିଲା ପରେ ଉପବାଚସ୍ପତି ପ୍ରସଙ୍ଗ ଉଠିବ। ଯଦି ଏହାକୁ ନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆସେ, ତେବେ ଏ ନେଇ ବିଚାର କରାଯିବ। ସେମିତି କିଛି ପ୍ରସ୍ତାବ ଆସିଲେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର କରିବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ମଙ୍ଗଳବାର ବିଜେଡିର ସଂସଦୀୟ ଦଳ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ନେଇ ନିଷ୍ପତ୍ତି ହୋଇଛି। ଭାଜପା ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ସମର୍ଥନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ନିର୍ବାଚନରେ ସହମତି ଦେବାକୁ ପୂର୍ବରୁ କେନ୍ଦ୍ର ପକ୍ଷରୁ ବିଜେଡିକୁ ଅନୁରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୁରୋଧ କରିଥିଲେ ବୋଲି ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

Share