Categories: ମେଟ୍ରୋ

ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ କଲେ ପ୍ରଶାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ଶନିବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ସ୍ବରଚିତ ୨ଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହି ପୁସ୍ତକ ୨ଟି ହେଉଛି- ଚଳଚ୍ଚିତ୍ର ପୁରାଣ: ଓଡ଼ିଆ ସିନେମାର ଇତିହାସ ଏବଂ ଖାରବେଳ: ଦ ଗ୍ରେଟ୍‌ ୱାରିୟର। ଏହି ପୁସ୍ତକଟି ଉଭୟ ଓଡ଼ିଆ ଏବଂ ଇଂଲିଶ ଭାଷାରେ ପ୍ରକାଶ କରାଯାଇଛି। ପ୍ରଶାନ୍ତଙ୍କ ରଚିତ ପୁସ୍ତକ ଉପରାଷ୍ଟ୍ରପତି ଗ୍ରହଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଚଳଚ୍ଚିତ୍ର ପୁରାଣ ପୁସ୍ତକଟି ଓଡ଼ିଆ ସିନେମାର ଉତ୍ଥାନ ଏବଂ ପତନକୁ ନେଇ ରଚନା କରାଯାଇଛି। ୧୯୩୬ରୁ ୨୦୧୪ ମଧ୍ୟରେ ଓଡ଼ିଆ ସିନେମା ସମ୍ପର୍କିତ ତଥ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ସେହିଭଳି ୧୯୫୯ରେ ପ୍ରଶାନ୍ତ ସିନେମା ଜଗତରେ ଶିଶୁ କଳାକାରଭାବେ ପାଦ ଥାପି ଥିଲେ। ଅନୁରୂପଭାବେ ଦ୍ୱିତୀୟ ପୁସ୍ତକ ଖାରବେଳରେ ବୀର ଖାରବେଳଙ୍କ ସମ୍ପର୍କିତ ବିଭିନ୍ନ ଘଟଣାବଳୀର ଅବତାରଣା କରିଛନ୍ତି। ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସାହିତ୍ୟ ଅକାଦେମୀର ଓଡ଼ିଆ ଆଡଭାଇଜରି ବୋର୍ଡର ଆବାହକ ଡକ୍ଟର ବିଜୟାନନ୍ଦ ସିଂ, ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ପ୍ରମୋଦ କର, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଓଡ଼ିଶା ବୁକ୍‌ ଏମ୍ପୋରିୟମର ପ୍ରକାଶକ ଶିବାଶିଷ କର ଏବଂ ଲିଫି ପବ୍ଲିକେଶନର ପ୍ରକାଶକ ରମେଶ ମିତ୍ତଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Share