Categories: ଜାତୀୟ

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ଉପସ୍ଥାନ ଏହାଠାରୁ କମ୍‌ ଥିବ ସେମାନଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏହାର ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଫେବୃୟାରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍‌ କାର୍ଡ ପଠାଯିବ। ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ। ଯଦି କୌଣସି ପିଲାଙ୍କର ଉପସ୍ଥାନ କମ୍‌ ହୋଇଥାଏ, ତେବେ ସେମାନେ ଏହାର ଉପଯୁକ୍ତ କାରଣ ଦସ୍ତାବିଜ ସହ ଜାନୁୟାରୀ ୭ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏହି ସମୟସୀମା ପରେ କୌଣସି ଆବେଦନକୁ ବିଚାରକୁ ନିଆଯିବ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍‌ କରିବାକୁ ହେବ।

Share