Categories: ଜାତୀୟ

ଉପସ୍ଥିତ ବୁଦ୍ଧି ଯୋଗୁ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜିଆର୍‌ପି ପୋଲିସ

ମୁମ୍ବାଇ,୮।୨: ମୁମ୍ବାଇ ଘାଟକୋପର ରେଳ ଷ୍ଟେଶନରେ ଜଣେ ଯବାନଙ୍କ ସାହସିକତା ଯୋଗୁ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧ ଜଣଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ ହେବା ଦେଖି ଜିଆରପି ପୋଲିସ ତାଙ୍କୁ ସଙ୍ଗେ ସଙ୍ଗେ ନିଜ କାନ୍ଧରେ ବୋହି ହସ୍ପିଟାଲକୁ ନେଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ପ୍ରକାଶ ଗଚ୍ଛେ ନାମକ ଜଣେ ବୃଦ୍ଧ ଦ୍ୱିପ୍ରହରରେ ଅନ୍ୟ ସ୍ଥାନକୁ ଯିବା ପାଇଁ ଘାଟକୋପର ଷ୍ଟେଶନରେ ଠିଆ ହୋଇଥିଲେ। ସେ ଠିଆହୋଇଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହାକୁ ଦେଖି ସେଠାରେ ଥିବା ଲୋକଙ୍କ ଭିଡ଼ ଜମିଯାଇଥିଲା। ସେହି ସମୟରେ କାର୍ଯ୍ୟରତ ଥିବା ପୋଲିସ ଧନଞ୍ଜୟ ସେଠାରେ ପହଞ୍ଚି ପ୍ରକାଶଙ୍କୁ ସଙ୍ଗେ ସଙ୍ଗେ ନିଜ କାନ୍ଧରେ ବୋହି ଷ୍ଟେଶନ ବାହାରକୁ ଦୌଡିଥିଲେ। ସେ ଏଭଳି ଦୌଡୁଥିବା ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ପ୍ରକାଶଙ୍କୁ ରାଜଓ୍ବାଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଯବାନଙ୍କ ଉପସ୍ଥିତି ବୁଦ୍ଧି ଓ ସାହସିକତା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି। ଧନଞ୍ଜୟଙ୍କ ଏହି କାର୍ଯ୍ୟକୁ ସମସ୍ତ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

Share