Categories: ଫୁରସତ

ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ। ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି। କିଛି ନା କିଛି ଉପହାର ଆଣି ଆସନ୍ତି। ଆଉ ତାହାକୁ ଦେଇ ସେମାନେ ବରକନ୍ୟାଙ୍କ ଆଗାମୀ ଭବିଷ୍ୟତର ଶୁଭକାମନା କରିଥାନ୍ତି। ତେବେ ବେଳେବେଳେ ଏହି ଉପହାର ହିଁ ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଇ ଘଟଣାଟିକୁ ତାହାର ଏକ ନଜିର ଭାବରେ ନିଆଯାଇପାରେ। ‘ସନ୍‌’ ଖବରକାଗଜର ତଥ୍ୟ ଅନୁଯାୟୀ ଗୋଟିଏ ବାହାଘରକୁ ଆସି ନ ପାରି ବରର ମାମୁ ଓ ମାଈଁ ଉପହାର ପଠେଇ ଦେଇଥିଲେ। ବାହାଘର ପରେ ଉପହାର ଖୋଲାଯିବାରୁ ସେଥିରେ ୧୬୦ ପାଉଣ୍ଡର ଏକ ଚେକ୍‌ ଥିବା ଦେଖିବାକୁ ମିଳିଥିଲା। ଉପହାର ବାବଦକୁ ଏହା କିଛି କମ୍‌ ପରିମାଣ ନ ଥିଲା। ଚେକ୍‌ଟିକୁ ସେମାନେ ବ୍ୟାଙ୍କରେ ଡିପୋଜିଟ୍‌ କରିଦେଲେ ଓ ତାହାର ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିଗଲା। ତେବେ ଏଇଠି ଆରମ୍ଭ ହେଲା ସମସ୍ୟା। ଚେକ୍‌ଟି ଏନ୍‌କ୍ୟାଶ୍‌ ହୋଇ ବ୍ୟାଙ୍କ ଖାତାରେ ଜମା ହେବା ପରେ ମାମୁଙ୍କଠାରୁ ଏକ ପତ୍ର ଆସିଲା। ସେ ସେଥିରେ ଲେଖିଥିଲେ ଯେ, ସେ ଉପହାର ବାବଦକୁ ୧୬ ପାଉଣ୍ଡ ଦେବା କଥା। ମାତ୍ର ଭୁଲବଶତଃ ଗୋଟିଏ ଶୂନ (0) ଲେଖି ହୋଇଯାଇଛି। ତେଣୁ ସେମାନେ ୧୬ ପାଉଣ୍ଡର ଅର୍ଥ ରଖି ବଳକା ଅର୍ଥ ତାଙ୍କୁ ଫେରସ୍ତ କରିଦେବା ଉଚିତ। ଏହି ପତ୍ରଟି ପାଇବା ମାତ୍ରେ ବରପାତ୍ରଙ୍କ ମୁଣ୍ଡ ଲାଜରେ ନଇଁଗଲା। କାରଣ ତାଙ୍କର ମାମୁ ହିଁ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କୁ ଉପହାର ଦେଇ ପୁଣି ଏଭଳି ଏକ ପତ୍ର ଲେଖିଛନ୍ତି। ବର ମା’ଙ୍କ ମୁହଁରେ ଆଉକିଛି କଥା ନ ଥିଲା। କାରଣ ତାଙ୍କ ଭାଇ ଯେ ଏଭଳି ଏକ ଛୋଟ କାଣ୍ଡ ଘଟେଇବ ସେ ଚିନ୍ତା ମଧ୍ୟ କରିପାରୁ ନଥିଲେ। ସମସ୍ତେ ନିଷ୍ପତ୍ତି ନେଲେ ଯେ, ମାମୁ ଦେଇଥିବା ସବୁତକ ଉପହାର ଅର୍ଥ ତାଙ୍କୁ ଫେରସ୍ତ କରିଦିଆଯିବ ଆଉ ସବୁଦିନ ଲାଗି ତାଙ୍କ ଘର ସହିତ ସମ୍ପର୍କ କାଟି ଦିଆଯିବ। ପରିଶେଷରେ ତାହା ହିଁ ହୋଇଥିଲା।

Share