ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ

ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ ଉପାଧ୍ୟକ୍ଷା ନୀଳିମା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବାରୁ ସେ କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପଡିଥିଲେ। ଏହାକୁ ନେଇ ଛାତ୍ରୀଛାତ୍ରମାନେ ହୋହଲ୍ଲା କରିବା ସହ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।
ଚଳିତବର୍ଷ ଗଣେଶ ପୂଜା ପାଳନ ବେଳେ ମାଇକ୍‌ ବଜାଇବା ପାଇଁ କର୍ତ୍ତୃପକ୍ଷ ମନା କରିବାରୁ ଛାତ୍ରୀଛାତ୍ରମାନେ ଅଧ୍ୟକ୍ଷ ଯଶୋବନ୍ତ ମହାପାତ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ଅଧ୍ୟକ୍ଷଙ୍କ ସମ୍ମତିକ୍ରମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମାଇକ୍‌ ବଜାଇବା ପାଇଁ ଅନୁମତି ମିଳିଥିଲା। କିନ୍ତୁ ଉପାଧ୍ୟକ୍ଷା ମଢୁଆଳ ସୋମବାର ପୂଜାରେ ମାଇକ୍‌ ବଜାଇବାକୁ ବାରଣ କରିବାରୁ ଛାତ୍ରୀଛାତ୍ରମାନେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ କଲେଜ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଉପାଧ୍ୟକ୍ଷା ମଢୁଆଳ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଘଟଣାସ୍ଥଳରେ ଛାତ୍ରୀଙ୍କ ବାପା ପହଞ୍ଚିଥିଲେ। ଛାତ୍ରୀଛାତ୍ରଙ୍କ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଛାତ୍ରୀଛାତ୍ରମାନେ ଉପାଧ୍ୟକ୍ଷା ମଢୁଆଳଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ କଲେଜରୁ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି।
ଏ ସମ୍ପର୍କରେ ଉପାଧ୍ୟକ୍ଷା ମଢୁଆଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଛାତ୍ରୀଛାତ୍ରମାନେ ମାଇକ୍‌ ବଜାଇ ନାଚ କରିବା ପାଇଁ କଲେଜ ପରିଚାଳନା ସମିତି ପକ୍ଷରୁ ବାରଣ କରାଯାଇଥିଲା। ଏହାକୁ ସେମାନେ ନ ମାନିବାରୁ ମୁଁ ପ୍ରତିବାଦ କରିଥିଲି। ଛାତ୍ରୀଛାତ୍ରମାନେ ଏହାର ସୁଯୋଗ ନେଇ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀ ଅତ୍ୟଧିକ ଉଶୃଙ୍ଖଳିତ ହେବାରୁ ତାଙ୍କୁ ଚାପୁଡ଼ା ମାରିଛି।
ଟାଉନ୍‌ ଥାନାଧିକାରିଣୀ ସରୋଜିନୀ ନାୟକ କହିଛନ୍ତି, କଲେଜର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ପରିଚାଳନା କମିଟି ଓ ଛାତ୍ରୀଛାତ୍ରମାନେ ମିଳିତ ଭାବେ ଆଲୋଚନା କରି ସମାଧାନ କରିଦେବା ଉଚିତ୍‌। ସେଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଲିଖିତ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।