ଉପେକ୍ଷିତ ଐତିହ୍ୟ: ଅଲୋଡ଼ା ହୋଇ ପଡ଼ିରହିଛି ବାଷ୍ପଚାଳିତ ରେଳ ଇଞ୍ଜିନ

ବାରିପଦା ଅଫିସ,୨୫।୧୧(ରବି ନାରାୟଣ ଚଲାନ)- କଳା, ସଂସ୍କୃତି ଓ ଐତିହ୍ୟର ସହର ବାରିପଦା। ରାଜରାଜୁଡା ଶାସନ କାଳରୁ ରେଳସେବା ଭଳି ବିକାଶର ସ୍ବାଦ ଚାଖିଛନ୍ତି ସହରବାସୀ। ଗଡ଼ଜାତ ଶାସନ ସମୟରେ ପ୍ରଥମେ ୧୯୦୪ରେ ଏଠାରେ ଆରମ୍ଭ ହୋଇଥିଲା ରେଳ ସେବା। ବାରିପଦା ରେଳ ଷ୍ଟେଶନ ଆଦି ସ୍ଥାନରେ ଥିବା କେତେକ ସ୍ମାରକୀ ଏହି ଗୌରବ ଗାଥା ଶୁଣାଇ ଆସୁଛି। ଏଠାକାର ଷ୍ଟେଶନକୁ ଗଲେ ଏହା ପଛ ପଟେ ଥିବା ଏକ ବାଷ୍ପଚାଳିତ ରେଳ ଇଞ୍ଜିନ ଦୃଷ୍ଟିରେ ପଡ଼େ। ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ରେଳସେବା ଆରମ୍ଭ ସମୟରେ ୧୯୦୫ ମସିହାରେ ଏହି ଇଞ୍ଜିନକୁ ସ୍କଟଲାଣ୍ଡର ନର୍ଥ ବ୍ରିଟିଶ ଲୋକୋମୋଟିଭ କମ୍ପାନିଠାରୁ ଆଣିଥିଲେ। ଏହା ସହିତ ସୁନ୍ଦର କାଠ ଓ ଲୁହାରେ ରେଳଡବା ଯୋଡା ଯାଇଥିଲା। ବାଷ୍ପଚାଳିତ ରେଳସେବା ବନ୍ଦ ହେବା ପରେ ପୁରୁଣା ରେଳ ଇଞ୍ଜିନ ଓ ଡବା ବାରିପଦା ରେଳ ଷ୍ଟେଶନ ପଛ ପଟେ ଅଲୋଡ଼ା ତଥା ପରିତ୍ତ୍ୟକ୍ତ ହୋଇ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା କ୍ରମେ ଭାଙ୍ଗିରୁଜି ଯାଉଛି।
ସମଗ୍ର ଭାରତ ବର୍ଷରେ କାଁ ଭାଁ ରେଳପଥ ଥିବାବେଳେ ବାରିପଦାବାସୀ ରେଳସେବା ସୁବିଧା ପାଇ ଟ୍ରେନରେ ଯିବା ଆସିବା କରୁଥିଲେ। ସ୍କଟଲାଣ୍ଡରୁ ଅଣାଯାଇଥିବା ରେଳ ଇଞ୍ଜିନ ଚାଳିତ ଟ୍ରେନରେ ସେତେବେଳେ ଭାରତର ଅନେକ ବିଶିଷ୍ଟ ବ୍ୟକ୍ତି, ରାଜ ପରିବାର ସଦସ୍ୟ, ବ୍ରିଟିଶ ସରକାରଙ୍କ ଉଚ୍ଚ ଅଧିକାରୀଙ୍କ ସମେତ ମୟୂରଭଞ୍ଜ ଜିଲାର ସାଧାରଣ ବ୍ୟକ୍ତିି ମଧ୍ୟ ଯାତ୍ରା କରିଥିଲେ। ଗଡ଼ଜାତ ଶାସନ ବେଳେ ସ୍ଥାନୀୟ ସହରର ବାରିପଦା ଓ ଭଞ୍ଜପୁରଠାରେ ଦୁଇଟି ରେଳଷ୍ଟେଶନ ଗଢି ଉଠିଥିଲା ଯାହା ବିଦ୍ୟମାନ ରହିଛି। ବର୍ତ୍ତମାନ ଏଠାରୁ ଭୁବନେଶ୍ୱର, କଲିକତା, ବାଲେଶ୍ୱର, ରୂପସା, ବାଙ୍ଗିରିପୋଷିକୁ ରେଳ ଚଳାଚଳ କରୁଛି। ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ, ଭଞ୍ଜପୁର-ଶାଲିମାର ଇଣ୍ଟରସିଟି ଏକ୍ସପ୍ରେସ ଓ ଅନ୍ୟ ୬ଟି ଡିଏମୟୁ ଯାତ୍ରୀଙ୍କୁ ସେବା ଯୋଗାଉଛି। ବାରିପଦାରେ ରେଳସେବା ଆରମ୍ଭ ହେବାର ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ବିକାଶ କାର୍ଯ୍ୟ ଆଶାନୁରୂପ ହୋଇପାରି ନାହିଁ। ଖଡ୍‌ଗପୁର ଡିଭିଜନ ଅଧୀନରେ ଥିବା ଏହି ରେଳପଥର ବିକାଶ ପାଇଁ କେନ୍ଦ୍ର ସରକାର ବାରମ୍ବାର ଅବହେଳା କରିଆସୁଥିବାରୁ ରେଳପଥ ସମ୍ପ୍ରସାରଣ ଭଳି ଅନେକ କାର୍ଯ୍ୟ ଯୋଜନାରେ ଅଟକି ରହିଛି। ସର୍ବୋପରି ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ବାଷ୍ପଚାଳିତ ଟ୍ରେନ ଇଞ୍ଜିନକୁ ସୁରକ୍ଷିତ ରଖିବା ଲାଗି ସହରବାସୀ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡ଼ୁ ନାହିଁ।