ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ

ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୋର ପୋଲିସ କଲେଜ ପରିସରରେ ପହଞ୍ଚି ଆହତ ଛାତ୍ରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଏହି ଗଣ୍ଡଗୋଳ ପରେ କଲେଜରେ କ୍ଲାସ ତୁରନ୍ତ ବାତିଲ କରାଯାଇଥିଲା। ଗଣ୍ଡଗୋଳ ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳକାରୀ ୨ ଅଣଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
ସୋମବାର ପୂର୍ବାହ୍ନରେ କଲେଜ ଗେଟ୍‌ ନିକଟରେ ଦୁଇ ରାଜନୈତିକ ଦଳର ଅଣଛାତ୍ର ଜୟନ୍ତ କୁମାର ଧଡା ଓ ମନୀଷ କୁମାର ଗୁପ୍ତାଙ୍କ ମଧ୍ୟରେ ବାକ୍‌ବିତଣ୍ଡାରୁ ମାରପିଟ୍‌ ହୋଇଥିଲା। ଏହାର ପ୍ରଭାବରେ କଲେଜ ପରିସରରେ ଥିବା ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କଲେଜ କ୍ୟାଣ୍ଟିନ୍‌ ଓ ବୟଜ୍‌ କମନରୁମ୍‌ରେ ଗଣ୍ଡଗୋଳ ମାରପିଟ୍‌ ହୋଇଥିଲା। ଏଥିରେ ଯୁକ୍ତ ୩ କଳା ଶେଷ ବର୍ଷର ଛାତ୍ର ଭବାନୀ ଶଙ୍କର ପରିଡା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ସୌରଭ କୁମାର ବେହେରା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ଚନ୍ଦନ କୁମାର ଦାସ ଓ ଶରତ କୁମାର ମଲ୍ଲିକ, ଯୁକ୍ତ ୩ କଳା ୨ୟ ବର୍ଷର ଛାତ୍ର ନଗେନ୍‌ କୁମାର ସାହୁ ଓ ଯୁକ୍ତ ୩ ବିଜ୍ଞାନ ୩ୟ ବର୍ଷ ଛାତ୍ର ଜ୍ୟୋତି ରଞ୍ଜନ ପଣ୍ଡା ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣ ଛାତ୍ର ଜୀବନବିକଳରେ ରକ୍ତାକ୍ତ ଅବସ୍ଥାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପଶିଯାଇଥିଲେ। ସେଠାରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁଣି ମାରପିଟ୍‌ ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ସାମଲଙ୍କୁ ପଚାରିବାରୁ କହିଛନ୍ତି, ଏହି ଘଟଣା ପରେ ଷ୍ଟାଫ୍‌ କାଉନ୍‌ସିଲ ବୈଠକ ଡକାଯାଇଥିଲା। ତାହାର ନିଷ୍ପତ୍ତି ଅନୁଯାୟୀ କଲେଜ ପରିସରରେ ଶୈଖିକ ବାତାବରଣ ବଜାୟ ରଖିବାକୁ କଲେଜ ପକ୍ଷରୁ ସୋର ଥାନା ସହ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଛି।