Categories: ଜାତୀୟ

ଉର୍ଦ୍ଦୁ ଶ୍ରୀମଦ୍‌ ଭାଗବତ ଗୀତାକୁ ୧୨୧ ବର୍ଷ ହେଲା ରଖିଛନ୍ତି ମୁସଲମାନ୍‌ ପରିବାର

ଭୋପାଳ,୧୮।୧୧: ଭାରତ ସବୁବେଳେ ଭିନ୍ନତାରେ ଏକତାର ଉଦାହରଣ ସୃଷ୍ଟି କରିଥାଏ। ମଧ୍ୟପ୍ରଦେଶରେ ଏକ ମୁସଲମାନ୍‌ ପରିବାର ୧୨୧ ବର୍ଷ ହେଲା ଉର୍ଦ୍ଦୁରେ ରଚିତ ଶ୍ରୀମଦ୍‌ ଭାଗବତ ଗୀତାକୁ ସଂରକ୍ଷିତ କରି ରଖିଛନ୍ତି। ସ୍ଥାନୀୟ ରତଲାମ୍‌ ଜିଲାର ଜାବରାରେ ବାସ କରୁଥିବା କଣ୍ଟ୍ରାକ୍ଟର ଅନୀସ୍‌ ଅନଓ୍ବରଙ୍କ ପରିବାରଙ୍କ ପାଖରେ ଗତ ୩ ପିଢ଼ି ଧରି ଏହି ଗୀତା ରହିଛି। ଏହା ୧୮୯୮ମାର୍ଚ୍ଚ ୧୫ରେ ପ୍ରକାଶିତ ହୋଇଥିଲା। ସେତେବେଳେ ୨୩୦ ପୃଷ୍ଠା ସମ୍ବଳିତ ଏହି ଗୀତାର ମୂଲ୍ୟ ୬ ପଇସା ଥିଲା। ଏହାକୁ ମଥୁରାର ପଣ୍ଡିତ ଜାନକୀନାଥ ମଦନ ଦେହଲଓ୍ବୀ ଅନୁବାଦ କରିଥିଲେ। ଏଥିରେ ସଂସ୍କୃତ ଶ୍ଳୋକକୁ ଉର୍ଦ୍ଦୁରେ ଅନୁବାଦ କରାଯାଇଛି। ଅନୀସ୍‌ଙ୍କ ଘରେ କୋରାନ୍‌ ରଖାଯାଇଥିବା ସ୍ଥାନରେ ଉର୍ଦ୍ଦୁ ଗୀତାକୁ ରଖାଯାଇଛି। ଗୀତା ଏବଂ କୋରାନ୍‌ ସେମାନଙ୍କ ଜୀବନ ଦର୍ଶନକୁ ସୁଦୃଢ଼ କରୁଥିବା ଅନୀସ୍‌ କହିଛନ୍ତି।

Share