ଉହାନ୍‌ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ

ଉହାନ୍‌, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ ଦୂର କରାଯାଇ ପାରିନାହିଁ। ଉହାନ୍‌ ସହରରେ କିଛି ସପ୍ତାହ ପରେ ପୁଣି ଏହି ଭୂତାଣୁ ଚିହ୍ନଟ ହୋଇଛି। ଫଳରେ ସମସ୍ତ ସହରବାସୀ(୧୧ ନିୟୁତ)ଙ୍କୁ କରୋନା ଟେଷ୍ଟ କରାଯିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଅଧିକାରୀମାନେ ସେମାନଙ୍କ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମସ୍ତ ସହରବାସୀଙ୍କ ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟ କରାଯାଇପାରିବ। ଏହି ଟେଷ୍ଟ ଲାଗି ପ୍ରତ୍ୟେକ ଜିଲା ପ୍ରଶାସନ ୧୦ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିିବାକୁ କୁହାଯାଇଛି। ତେବେ କେବେଠାରୁ ଏହି ଟେଷ୍ଟ କରାଯିବ, ସେ ନେଇ ସଠିକ୍‌ ଭାବେ କିଛି ଦର୍ଶାଯାଇ ନାହିଁି।
କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିବା ଚାଇନାର ଉହାନ୍‌ ସହର ୭୬ ଦିନର ଲକ୍‌ଡାଉନ୍‌ ପରେ ଏପ୍ରିଲ ୮ରେ ଖୋଲିଥିଲା। କିଛିଦିନ ସ୍ଥିତି ସ୍ବାଭାବିକ ରହିବା ସହ କୌଣସି ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନ ଥିଲା। କୌଣସି ନୂଆ ମାମଲା ନ ଥିବାବେଳେ ସହରବାସୀ ଆଶ୍ୱସ୍ତ ହୋଇଥିଲେ। ହେଲେ ଗତ ରବିବାରଠାରୁ ଡୋଙ୍ଗ୍‌ଜିହୁ ଜିଲାରେ ୬ ମାମଲା ନଜରକୁ ଆସିବା ପରେ ପୁଣି ଆତଙ୍କ ଖେଳିଯାଇଛି। ଏହା ଚିନ୍ତାର କାରଣ ହୋଇଥିଲେ ହେଁ ସମସ୍ତ ସହରବାସୀଙ୍କ କରୋନା ଟେଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି ଚାଇନିଜ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ୍ସର ମୁଖ୍ୟ ଇପିଡେମିଓଲୋଜିଷ୍ଟ ଓ୍ବୁ ଜୁନ୍ୟୋଉ କହିଛନ୍ତି। ଚାଇନାରେ ଏବେ ମୋଟାମୋଟି ଭାବେ ଭୂତାଣୁ ନିୟନ୍ତ୍ରଣରେ ଅଛି। ଲକ୍‌ଡାଉନ୍‌ ହଟିବା ପରେ ପୁଣି ଭୂତାଣୁ ଫେରି ଲୋକଙ୍କୁ ସଂକ୍ରମିତ ହେବା କିଛି ନୂଆକଥା ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ରୁଷିଆ ସୀମାକୁ ଲାଗିଥିବା ଚାଇନାର ଉତ୍ତର-ପୂର୍ବ ରାଜ୍ୟ ଜିଲିନ୍‌ ଓ ହୈଲଙ୍ଗଜିଆଙ୍ଗରେ କେତେଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଅଧିକ ମାରାତ୍ମକ ରୂପ ଧାରଣ କରିବା ପୂର୍ବରୁ ସମସ୍ତ ସହରବାସୀଙ୍କ କରୋନା ଟେଷ୍ଟ କରାଯିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ପ୍ରକାଶଥାଉ କି, କେବଳ ଉହାନ୍‌ରେ କରୋନା ଭୂତାଣୁ ୩,୮୬୯ ଲୋକଙ୍କ ଜୀବନ ନେଇଛି। ସର୍ବପ୍ରଥମେ ଗତ ଡିସେମ୍ବରରୁ ଭୂତାଣୁ ଏହିଠାରୁ ସଂକ୍ରମଣ ଆରମ୍ଭ କରିଥିଲା। ପ୍ରାଣୀଙ୍କଠାରୁ ମଣିଷକୁ ଏହି ଭୂତାଣୁ ଡେଇଁଥିବା ସନ୍ଦେହ କରାଯାଉଛି। ଉହାନ୍‌ର ଏକ ମାର୍କେଟରୁ ଏହି ଭୂତାଣୁ ଚାରିଆଡ଼େ ବ୍ୟାପିଥିବା ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।

Share