‘ଉହାନ୍‌ ଲାବ୍‌ରୁ କରୋନା ଉତ୍ପତ୍ତିର ବଳିଷ୍ଠ ପ୍ରମାଣ ରହିଛି’

ଓ୍ବାଶିଂଟନ,୫ା୫: ଚାଇନାର ଉହାନ୍‌ସ୍ଥିତ ଲାବ୍‌ରୁ ହିଁ କରୋନା ଭାଇରସ୍‌ ଉତ୍ପତ୍ତି ହୋଇଛି ବୋଲି ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଦାବି କରିଛନ୍ତି। ଆମ ପାଖରେ ଏନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ସେ ଗଣମାଧ୍ୟମ ସଂସ୍ଥା ଏବିସିକୁ କହିଛନ୍ତି। ଏହି ଭାଇରସ୍‌ ସଂକ୍ରମଣଜନିତ ମାମଲାକୁ ପରିଚାଳନା କରିବା କ୍ଷେତ୍ର ଚାଇନାକୁ ପୋମ୍ପେଓ କଡ଼ା ସମାଲୋଚନା କରିଛନ୍ତି। କିନ୍ତୁ ଚାଇନା ଜାଣିଶୁଣି ଏହି ଭାଇରସ୍‌କୁ ବିସ୍ତାର କରିଛି କି ନାହିଁ ସେନେଇ ପୋମ୍ପେଓ କିଛି କହିନାହାନ୍ତି।
କରୋନା ଭାଇରସ୍‌ରେ ବର୍ତ୍ତମାନ ବିଶ୍ୱରେ ପ୍ରାୟ ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ଏହି ମହାମାରୀରେ ଚାଇନାର ଭୂମିକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆକ୍ରମଣାତ୍ମକ ସମାଲୋଚନା କରି ଆସୁଛନ୍ତି। ସୂଚନା ଲୁଚାଇଥିବାରୁ ସେ ବେଜିଂକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦାୟିତ୍ୱହୀନତା ପାଇଁ ଚାଇନା ଉତ୍ତରଦାୟିତ୍ୱ ଗ୍ରହଣ କରିବା ଉଚିତ।
ଏକ ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ଗୁପ୍ତଚରମାନଙ୍କୁ ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଥିଲେ। ବାଦୁଡ଼ି ଓ ଅନ୍ୟାନ୍ୟ ପ୍ରାଣୀ ବିକ୍ରି ହେଉଥିବା ଉହାନ୍‌ର ବଜାରରୁ ଏହି ଭାଇରସ୍‌ ଉତ୍ପନ୍ନ ହୋଇଥିବା ପ୍ରଥମେ କୁହାଯାଉଥିଲା। କିନ୍ତୁ ଏବେ ଉକ୍ତ ଭାଇରସ୍‌ ଉହାନ୍‌ର ରିସର୍ଚ୍ଚ ଲାବରେଟୋରି ହିଁ ବ୍ୟାପିଥିବା ସନ୍ଦେହ କରାଯାଉଛି।
ବୈଜ୍ଞାନିକମାନଙ୍କ ବ୍ୟାପକ ମତ ଅନୁଯାୟୀ କୋଭିଡ୍‌-୧୯ ଭୂତାଣୁ ମଣିଷ ଦ୍ୱାରା ନିର୍ମିତ ହୋଇନାହିଁ କିମ୍ବା ତାହାକୁ ଅନୁବଂଶିକ ରୂପରେ ବିକଶିତ କରାଯାଇ ନାହିଁ ବୋଲି ଗତ ଗୁରୁବାର ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ଏକ ବିବୃତି ଦେଇଥିଲା। ପୂର୍ବରୁ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ଥିବା ପୋମ୍ପେଓ ଏବିସି ସହ କଥାବାର୍ତ୍ତାବେଳେ ଏହି ବିବୃତି ସହ ଏକମତ ହୋଇଥିଲେ। କିନ୍ତୁ ଉହାନ୍‌ ଲାବ୍‌ରୁ କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଥିବାର ଗୁରୁତ୍ୱପୂର୍ଣ୍ଣ ଏବଂ ପକ୍କା ପ୍ରମାଣ ଥିବା ଦର୍ଶାଇ ପୋମ୍ପେଓ ଟ୍ରମ୍ପ୍‌ଙ୍କଠାରୁ ବି କଥା ଆଗକୁ ବଢ଼ାଇଛନ୍ତି। ଚାଇନା ବିଶ୍ୱକୁ ସଂକ୍ରମିତ କରିବା ଏବଂ ନିକୃଷ୍ଟ ଲାବରେଟୋରି ଚଳାଇବାର ଇତିହାସ ରହିଛି। ମୁଁ ଭାବୁଛି ସମଗ୍ର ବିଶ୍ୱ ବର୍ତ୍ତମାନ ଏହା ଦେଖିପାରିବ ଏବଂ ମନେରଖିବ ବୋଲି ପୋମ୍ପେଓ କହିଛନ୍ତି।

Share