ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି ଅଞ୍ଚଳକୁ ସେଠାକାର ସରକାରଙ୍କ ପକ୍ଷରୁ କମ୍ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିବା ଜଣାଯାଇଛି।
ଚାଇନାର ଷ୍ଟେଟ କାଉନସିଲ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ, ଗତ ୧୪ ଦିନ ମଧ୍ୟରେ କୌଣସି  କରୋନା ସଂକ୍ରମଣ ମାମଲା ଆସି ନ ଥିବା ସହର, ଜିଲା ଆଦିକୁ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ବର୍ଗୀକୃତ କରାଯାଇଛି । ସେହିପରି ୫୦ରୁ କମ୍ ମାମଲା ଥିବା ଅଞ୍ଚଳ, ୫୦ରୁ ଅଧିକ କିନ୍ତୁ ସେହି ଅନୁପାତରେ ଅଧିକ ସଂକ୍ରମିତ ହୋଇ ନ ଥିବା ସହରକୁ ମଧ୍ୟ-ବିପଦପୂର୍ଣ୍ଣ ଅଞ୍ଚଳ ବର୍ଗରେ ରଖାଯାଇଛି। ୫୦ରୁ ଅଧିକା ମାମଲା ଥିବା ଏବଂ ସଂକ୍ରମଣ ଅଧିକ ହେଉଥିବା କିମ୍ବା ଆଶଙ୍କା ଥିବା ଅଞ୍ଚଳଗୁଡିକୁ ହାଇରିସ୍କ ଏରିଆ ବା ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି। ଗତ ଶନିବାର ଦେଶରେ ୧୬ଟି ନୂଆ କୋଭିଡ-୧୯ ମାମଲା ଆସିଥିବା ଚାଇନା ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନଏଚସି) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ୯ ଜଣ ସଂକ୍ରମିତ ବାହାର ଅଞ୍ଚଳର ହୋଇଥିବାବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଛନ୍ତି। ଶନିବାର କୌଣସି ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନ ଥିବାରୁ ମୃତ୍ୟୁ ସଂଖ୍ୟା ୪,୬୩୨ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

Share